(ସୁଲଗ୍ନା ମହାନ୍ତି) : ପ୍ରତି ସ୍ବାଧୀନ ରାଷ୍ଟ୍ରର ସାର୍ବଭୌମତ୍ବର ବିଶେଷ ପରିଚୟ ବହନ କରେ ଏହାର ଜାତୀୟ ପତାକା, ଜାତୀୟ ସଂଗୀତ ଓ ଜାତୀୟ ସଙ୍କେତ। ବିଭିନ୍ନ ଅନ୍ତର୍ଜାତୀୟ ସମାବେଶରେ ଏହି ତିନିଟି ଦ୍ବାରା ଏକ ଦେଶ ନିଜର ପରିଚୟ ଓ ଅସ୍ତିତ୍ବ ଜାହିର କରିଥାଏ। ପୁଣି ଏଥିରେ ନିହିତ ଥାଏ ଦେଶର ସଂସ୍କୃତି, ଇତିହାସ ଓ ଶାସନତନ୍ତ୍ରର ଗୌରବ ଗାଥା। ଜାତୀୟ ପତାକା, ଜାତୀୟ ସଂଗୀତ ଓ ଜାତୀୟ ସଙ୍କେତ ରାଷ୍ଟ୍ରର ଲୋକସଂସ୍କୃତି, ଇତିହାସ ଓ ମୂଲ୍ୟବୋଧ ବହନ କରୁଥିବାରୁ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ମାଧ୍ୟମ ପାଲଟିଥାଏ। ଏଥିସହ ଦେଶପ୍ରୀତି ଓ ଜାତୀୟ ଗୌରବବୋଧକୁ ଜାଗରୁକ କରିଥାଏ।
ଜାତୀୟ ପତାକା ‘ତ୍ରିରଙ୍ଗା’
ଇତିହାସ କହେ, ବିଂଶ ଶତାବ୍ଦୀ ପୂର୍ବରୁ ଭାରତର କୌଣସି ବିଧିବଦ୍ଧ ଜାତୀୟ ପତାକା ନ ଥିଲା। ବ୍ରିଟିସ୍ ସରକାରଙ୍କ ବଙ୍ଗ ବିଭାଜନ ନିଷ୍ପତ୍ତି ପର୍ଯ୍ୟନ୍ତ ଏହାର ଆବଶ୍ୟକତା ଓ ପ୍ରାସଙ୍ଗିକତା ଦେଶବାସୀଙ୍କ ମନକୁ ଆସି ନ ଥିଲା। ବଙ୍ଗ ବିଭାଜନ ଦିନକୁ ଜାତୀୟ ଶୋକ ଦିବସ ଭାବେ ପାଳନ କରାଗଲା। ବର୍ଷକ ବାଦ ୧୯୦୬ରେ ବିଭାଜନ ବିରୋଧୀ ଦିବସ ଅବସରରେ ଏକ ପତାକା ଉତ୍ତୋଳନ କରାଯାଇଥିଲା। ସବୁଜ, ହଳଦିଆ ଓ ଲାଲ୍ ରଙ୍ଗର ପଟି ଥିବା କପଡ଼ାରେ ପ୍ରସ୍ତୁତ ଉକ୍ତ ପତାକାର ପରିକଳ୍ପନା କରିଥିଲେ ସଚୀନ୍ଦ୍ରପ୍ରସାଦ ବୋଷ। ପୁନଶ୍ଚ ୧୯୦୭ରେ ଜର୍ମାନିରେ ଅନୁଷ୍ଠିତ ଦ୍ବିତୀୟ ଆନ୍ତର୍ଜାତିକ ସମାଜବାଦୀ କଂଗ୍ରେସରେ ଯୋଗ ଦେଇଥିବା ମାଡାମ୍ ଭିକାଜୀ ରୁସ୍ତମ କାମା ଭାରତୀୟଙ୍କ ସ୍ବାଧୀନତା ପ୍ରସଙ୍ଗ ଉତ୍ଥାପନ କରି ଏକ ପତାକା ସେଠାରେ ଉତ୍ତୋଳନ କରିଥିଲେ। ସବୁଜ, ହଳଦିଆ ଓ ଲାଲ୍ ପଟି କପଡ଼ାରେ ନିର୍ମିତ ଏ ପତାକା ପ୍ରସ୍ତୁତ କରିଥିଲେ ଶିଳ୍ପୀ ହେମଚନ୍ଦ୍ର ଦାସ। ୧୯୧୭ରେ ବାଲ୍ ଗଙ୍ଗାଧର ତିଲକ୍ ଓ ଆନି ବେସାନ୍ତଙ୍କ ନେତୃତ୍ବରେ ହୋଇଥିବା ‘ଦି ହୋମ୍ ରୁଲ୍’ ଆେନ୍ଦାଳନର ଏକ ପତାକା ପ୍ରସ୍ତୁତ ହୋଇଥିଲା। ଏଥିରେ ଲାଲ୍ ଓ ସବୁଜ ରଙ୍ଗର ପଟି ସହ ୟୁନିୟନ୍ ଜ୍ୟାକ୍, କଳା ତ୍ରିଭୁଜ, ତାରକାରାଜି ଓ ଅର୍ଦ୍ଧଚନ୍ଦ୍ର ସନ୍ନିବେଶିତ ହୋଇଥିଲା।
୧୯୨୧ରେ ସ୍ବରାଜ ଆନ୍ଦୋଳନ କାଳରେ ମହାତ୍ମା ଗାନ୍ଧୀଙ୍କ ଇଚ୍ଛାକ୍ରମେ ପିଙ୍ଗଳି ଭେଙ୍କୈୟା ଏକ ପତାକା ତିଆରି କରିଥିଲେ। ଧଳା, ସବୁଜ ଓ ଲାଲ୍ ରଙ୍ଗର ପଟିରେ ତିଆରି ଉକ୍ତ ପତାକା ମଧ୍ୟ ଭାଗରେ ଚରଖା ଚିତ୍ର ଥିଲା ଏବଂ ତାହାକୁ କହାଗଲା ସ୍ବରାଜ ପତାକା । ୧୯୩୧ ଏପ୍ରିଲ୍ ୨ ତାରିଖ ଦିନ କରାଚୀରେ ଆୟୋଜିତ ଅଧିବେଶନରେ କଂଗ୍ରେସ ୭ଜଣିଆ ପତାକା କମିଟି ନିଯୁକ୍ତ କରିଥିଲା। ଉକ୍ତ କମିଟି କିଛି ପରିବର୍ତ୍ତନ ସହ ସ୍ବରାଜ ପତାକା ବା ଚରଖା ପତାକାକୁ ନୂଆ ପତାକା ଭାବେ ଗୃହୀତ କରିଥିଲା। ଭାରତ ସ୍ବାଧୀନ ହେବ ବୋଲି ଲର୍ଡ ମାଉଣ୍ଟବେଟେନ୍ ଘୋଷଣା କରିବା ପରେ ସବୁ ଦଳ ପାଇଁ ଗ୍ରହଣୀୟ ହେବା ଭଳି ପତାକାଟିଏ ଆବଶ୍ୟକ ବୋଲି ଜାତୀୟ ନେତାମାନଙ୍କର ହୃଦ୍ବୋଧ ହେଲା। ସ୍ବାଧୀନ ଭାରତର ପତାକା ତିଆରି ଲାଗି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ କମିଟି ଗଠିତ ହେଲା। ଗାନ୍ଧୀଜୀଙ୍କ ସମ୍ମତିକ୍ରମେ ପିଙ୍ଗଳି ଭେଙ୍କୈୟାଙ୍କ ପତାକାରୁ ଚରଖା ଉଠାଯାଇ ସେ ସ୍ଥାନରେ ଅଶୋକସ୍ତମ୍ଭରେ ଶୋଭିତ ଚକ୍ର ରଖାଗଲା। ପରିଶେଷରେ ୧୯୪୭ ଜୁଲାଇ ୨୨େର ତ୍ରିରଙ୍ଗା ପତାକା ସମ୍ବିଧାନ ସଭାରେ ସ୍ବାଧୀନ ଭାରତର ଜାତୀୟ ପତାକା ରୂପେ ଗୃହୀତ ହେଲା। ଭାରତର ଜାତୀୟ ପତାକାର ଉପର ଅଂଶ ଗାଢ଼ ନାରଙ୍ଗୀ ଓ ତଳ ଗାଢ଼ ସବୁଜ ଏବଂ ମଝିରେ ଘନନୀଳ ଚକ୍ର ଶୋଭିତ ଧଳା ପଟି। ନାରଙ୍ଗୀ ସାମର୍ଥ୍ୟ ଓ ସାହସ, ଧର୍ମଚକ୍ର ଓ ଧଳା ଶାନ୍ତି ଏବଂ ସତ୍ୟ, ସବୁଜ ଭୂଖଣ୍ଡ ଉର୍ବରତା, ଅଭିବୃଦ୍ଧି ଓ ପବିତ୍ରତାର ପ୍ରତୀକ।
ଜାତୀୟ ସଙ୍କେତରେ ଅଶୋକ ସ୍ତମ୍ଭର ତ୍ରିସିଂହ
ଜାତୀୟ ସଙ୍କେତ ବା ନ୍ୟାସନାଲ୍ ଏମ୍ବ୍ଲେମ୍ ହେଉଛି ଏକ ସ୍ବାଧୀନ ରାଷ୍ଟ୍ରର ଶାସନତନ୍ତ୍ରର ପ୍ରତୀକ। ଉତ୍ତର ପ୍ରଦେଶର ସାରନାଥଠାରେ ଥିବା ବୌଦ୍ଧ କୀର୍ତ୍ତି ଅଶୋକ ସ୍ତମ୍ଭର ସିଂହ ପ୍ରତିକୃତି ଖୋଦିତ ଚୂଡ଼ାକୁ ସାମାନ୍ୟ ପରିବର୍ତ୍ତନ କରାଯାଇ ଭାରତର ଜାତୀୟ ସଙ୍କେତ ରୂପ ଗୃହୀତ କରାଯାଇଛି। ଗୋଟିଏ ପାର୍ଶ୍ବକୁ ମାତ୍ର ତିନିଟି ସିଂହ ଦିଶୁଥିଲେ ବି ଅଶୋକ ସ୍ତମ୍ଭ ଚୂଡ଼ାରେ ଖୋଦେଇ ହୋଇଛି ପିଠିକୁ ପିଠି କରି ଚାରିଆଡ଼କୁ ଚାହିଁ ପଦ୍ମଫୁଲ ଆକୃତି ବଇଠିରେ ବସିଥିବା ଚାରିଟି ସିଂହ। ବଇଠି ପାର୍ଶ୍ବରେ ଖୋଦେଇ ହୋଇଛି ଅଶ୍ବ, ବୃଷଭ ଓ ହସ୍ତୀ ପ୍ରତିକୃତି। ସେମାନଙ୍କୁ ପୃଥକ୍ କରି ରଖିଛି ୨୪ଟି ଅଖ ଥିବା ୪ଟି ଧର୍ମଚକ୍ର। ଖ୍ରୀଷ୍ଟପୂର୍ବ ୨୮୦ରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ବାରା ନିର୍ମିତ ‘ସିଂହ ସ୍ତମ୍ଭ’ର ଶୀର୍ଷଭାଗରେ ଖୋଦିତ ‘ଧର୍ମଚକ୍ର’ ବାର୍ତ୍ତା ଦିଏ ଯେ ‘ଜୀବନ ଗତିଶୀଳ, କିନ୍ତୁ ମୃତ୍ୟୁ ସ୍ଥାଣୁ।’
ଭାରତୀୟ ଜାତୀୟ ସଙ୍କେତରେ ରହିଛି ୩ଟି ସିଂହ, ଦକ୍ଷିଣରେ ଅଶ୍ବ, ବାମରେ ବୃଷଭ ଓ ମଝିରେ ଗୋଟିଏ ଚକ୍ର। ବୃଷଭ କଠିନ ଶ୍ରମ ଓ କର୍ତ୍ତବ୍ୟନିଷ୍ଠତା ଏବଂ ଅଶ୍ବ ଆନୁଗତ୍ୟ, କ୍ଷିପ୍ରତା ଓ ଶୌର୍ଯ୍ୟର ସଙ୍କେତ। ତିନିଟି ସିଂହ ଶାନ୍ତି, ନ୍ୟାୟ ଓ ସହନଶୀଳତାର ପ୍ରତୀକ। ତଳକୁ ରହିଛି ଦେବନାଗରୀ ଲିପିରେ ଲିଖିତ ମୁଣ୍ଡକ ଉପନିଷଦ୍ ତଥା ବେଦର ଶେଷ ପଙ୍କ୍ତି ‘ସତ୍ୟମେବ ଜୟତେ’ ଅର୍ଥାତ୍ ‘ଏକା ସତ୍ୟ ହିଁ ବିଜୟୀ ହୁଏ’। ୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଭାରତ ଆନୁଷ୍ଠାନିକ ଭାବେ ସାଧାରଣତନ୍ତ୍ର ଘୋଷିତ ହେବା ସମୟରେ ଏହାକୁ ଜାତୀୟ ସଙ୍କେତ ରୂପେ ଗ୍ରହଣ କରାଯାଇଥିଲା।
ଜାତୀୟ ସଙ୍ଗୀତ
ବିବିଧତା ମଧ୍ୟରେ ଏକତା’ ଭାବଧାରା ଉପରେ ଆଧାରିତ। ୧୯୧୧ ଡିସେମ୍ବର ୨୭ରେ କୋଲ୍କାତାରେ ଆୟୋଜିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନର ଦ୍ବିତୀୟ ଦିବସରେ ‘ଭାରୋତୋ ଭାଗ୍ୟୋ ବିଧାତା’ ଗାନ କରାଯାଇଥିଲା। ଏହାକୁ ପରିବେଷଣ କରିଥିଲେ ବିଶ୍ବକବିଙ୍କ ଝିଆରୀ ସରଳା ଦେବୀ ଚୌଧୁରାଣୀ।
ପୁନଶ୍ଚ ୧୯୧୨ରେ ଭାରତ ବିଧାନ ଶୀର୍ଷକରେ ବ୍ରାହ୍ମ ସମାଜର ମୁଖପତ୍ର ‘ତତ୍ତ୍ବବୋଧିନୀ ପତ୍ରିକା’ରେ କବିତାଟି ପ୍ରକାଶ ପାଇଥିଲା। ଏହାର ସମ୍ପାଦକ ଥିଲେ ରବୀନ୍ଦ୍ରନାଥ ଠାକୁର।
‘ଜନଗଣ ମନ’କୁ ଭାରତର ଜାତୀୟ ସଂଗୀତ ଭାବେ ଗାନ କରିବାର ପ୍ରଥମ ନିଷ୍ପତ୍ତି ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର। ୧୯୪୨ ସେପ୍ଟେମ୍ବର ୧୧ରେ ଜର୍ମାନିର ହମ୍ବର୍ଗରେ ଅନୁଷ୍ଠିତ ଜର୍ମାନ-ଭାରତ ସୋସାଇଟିର ପ୍ରଥମ ବୈଠକରେ ସ୍ଥାନୀୟ ରେଡିଓ ସିମ୍ଫୋନି ଅର୍କେଷ୍ଟ୍ରା ଏହାକୁ ଜାତୀୟ ସଂଗୀତ ଭାବେ ପରିବେଷଣ କରିଥିଲା। ଭାରତ ସ୍ବାଧୀନ ହେବା ଅବସରରେ ୧୯୪୭ ଅଗଷ୍ଟ ୧୪ ମଧ୍ୟରାତରେ ପ୍ରଥମ ଥର ଲାଗି ଭାରତୀୟ ସମ୍ବିଧାନ ସଭାର ବୈଠକ ବସିଥିଲା। ଏଠାରେ ‘ଜନଗଣ ମନ’ ଗାୟନ ସହ ସଭା ସାଙ୍ଗ ହୋଇଥିଲା। ତା’ପରେ ୧୯୪୭ରେ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ସଭାକୁ ଯାଇଥିବା ଭାରତୀୟ ପ୍ରତିନିଧି ଦଳ ଦେଶର ଜାତୀୟ ସଙ୍ଗୀତ ଭାବେ ‘ଜନଗଣ ମନ’ର ରେକର୍ଡିଂ ପ୍ରଦାନ କରିଥିଲେ। ସମଗ୍ର ବିଶ୍ବର ପ୍ରତିନିଧିମାନଙ୍କ ଆଗରେ ଜାତିସଂଘ ପକ୍ଷରୁ ଏହା ପରିବେଷିତ ହୋଇଥିଲା। ୧୯୫୦ ଜାନୁଆରି ୨୪ ତାରିଖ ଦିନ ସମ୍ବିଧାନ ସଭା ‘ଜନଗଣ ମନ’ ଭାରତର ଜାତୀୟ ସଙ୍ଗୀତ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲାଶ