(ସୁଲଗ୍ନା ମହାନ୍ତି) : ଓଡିଆଙ୍କର ବାରମାସରେ ତେର ପର୍ବ। ଏସବୁ ପର୍ବର ଉତ୍ପତ୍ତି କିଛିଟା ଶାସ୍ତ୍ରୀୟ, କିଛିଟା ଲୋକାଚାରଜନିତ ବା କିଂବଦନ୍ତି ଆଧାରିତ। ସେହିପରି ଏକ ପ୍ରସିଦ୍ଧ ପର୍ବ ହେଲା ଗହ୍ମାପୂନେଇଁ ବା ଶ୍ରାବଣ ପୂର୍ଣ୍ଣିମା।

ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ସମୃଦ୍ଧ ଉତ୍ସବ। ଗାଁ ଗଣ୍ଡା, ସହର ଚାରିଆଡ଼େ ବଡ଼ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନାର ସହ ଏହା ପାଳନ କରାଯାଏ। ଏହା ଏକ କୃଷିଭିତ୍ତିକ ପର୍ବ। ଏଥିରେ ଆମ ଦେଶର ଧର୍ମଦର୍ଶନ,ରୀତିନୀତି, ଆଚାରବ୍ୟବହାର, ପ୍ରଥା, ପରମ୍ପରା, ସଂସ୍କୃତି ସ୍ପଷ୍ଟ ପ୍ରତିଫଳିତ।

ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ତନ୍ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା’ ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ। ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ବଳିଙ୍କଠାରୁ ତିନିପାଦ ଭୂମି ମାଗିବା ପରେ ବଳିଙ୍କ ଅନୁରୋଧକ୍ରମେ ଶ୍ରୀବିଷ୍ଣୁ ବଳିଙ୍କ ରାଜପ୍ରାସାଦ ଦ୍ବାରରେ ରକ୍ଷକ ଭାବେ ଅବସ୍ଥାନ କଲେ। ମହାଲକ୍ଷ୍ମୀ ବାମନରୂପୀ ଶ୍ରୀବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଳି ରାଜାଙ୍କ ପୁରକୁ ଯାଇ ବଳିଙ୍କ ହାତରେ ରାକ୍ଷୀବନ୍ଧନ କରି ସ୍ବାମୀଙ୍କୁ ଉଦ୍ଧାର କଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ି ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ ।

ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ହଳମୁଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ପରେ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

ମହାପ୍ରଭୁଙ୍କ ମାନବୀୟ ଲୀଳାକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ପରମ୍ପରା ରହିଛି। ଭଗବାନ ମଧ୍ୟ ପାରିବାରିକ ସଂପର୍କର ଡୋରିରେ ବନ୍ଧା। ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର ।

ଅପରପକ୍ଷରେ ମୋମିତା ପରି ଘଟଣାକୁ ଦେଖିଲେ ରାକ୍ଷୀ ତା’ର ପ୍ରାସଙ୍ଗିକତାକୁ ହରାଇଲା ପରି ମନେହୁଏ।

 

Leave a Reply

Your email address will not be published. Required fields are marked *