Oplus_131072

(ସୁଲଗ୍ନା ମହାନ୍ତି ) : ଶ୍ରାବଣ ମାସରେ ବୋଲବମ୍‌ ଯାତ୍ରାର ବିଶେଷ ମହତ୍ତ୍ବ ଅଛି। ଦେବଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ମାସରେ ଭକ୍ତମାନେ ଶିବଙ୍କୁ ଜଳାଭିଷେକ କରିଥାନ୍ତି। ସେଥିପାଇଁ ସେମାନେ ବୋଲବମ୍‌ ଯାତ୍ରା କରିଥାନ୍ତି। ଶିବଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ ସହ ବାହୁଙ୍ଗିରେ ପବିତ୍ର କଳସ ଜଳକୁ ବହନ କରି ବୋଲବମ୍ ହରହର ବମ୍ ଉଚ୍ଚାରଣ କରି ଖାଲି ପାଦରେ ଚାଲି ଚାଲି ଯାଇ ଶ୍ରାବଣୀ ମହାଦେବଙ୍କ ଉପରେ ଜଳାଭିଷେକ କରିଥାନ୍ତି। ଡମ୍ବରୁ ହେଉଛି ଶିବଙ୍କର ଅତି ପ୍ରିୟ ବାଦ୍ୟ। ଡମ୍ବରୁର ସ୍ଵରକୁ ଭକ୍ତମାନେ “ବମ୍” ଶବ୍ଦ ଭାବରେ ବ୍ୟବହାର କରିଥାନ୍ତି।

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ଶିବ ଭକ୍ତ ପର୍ଶୁରାମ ସର୍ବପ୍ରଥମେ ଶ୍ରାବଣ ମାସରେ ବୋଲବମ୍‌ ଯାତ୍ରାରେ ବାହାରି ଥଲେ। ସେ ଗଙ୍ଗାଜଳ ଶିବଲିଙ୍ଗ ଉପରେ ଲାଗି କରିଥିଲେ। ସେବେଠୁ ଶିବଭକ୍ତମାନେ ଏହି ପରମ୍ପରା ପାଳନ କରି ଆସୁଛନ୍ତି। ଶ୍ରାବଣ ମାସରେ ଶିବଭକ୍ତ ପବିତ୍ର ନଦୀରୁ ଜଳ ଆଣିବା ଯାତ୍ରାକୁ ବୋଲବମ୍ ବା କାଉଡ଼ି ଯାତ୍ରା କୁହାଯାଏ। ଭକ୍ତମାନେ ନଦୀରୁ ଜଳ ଆଣି ମହାଦେବଙ୍କଠାରେ ଜଳାଭିଷେକ କରନ୍ତି।

ଶିବଙ୍କୁ ଆରାଧନା ଓ ଉପାସନା ପାଇଁ ସମର୍ପିତ ଏହି ମାସ। ଏହି ମାସ ଶିବଙ୍କର ଖୁବ୍‌ ପ୍ରିୟ। ମାନ୍ୟତା ଅଛି, ଶ୍ରାବଣ ମାସ ଯାକ ମହାଦେବ ହରିଦ୍ବାରରେ ନିବାସ କରିଥାନ୍ତି। ସେହିପରି ଏହି ମାସରେ ବିଷ୍ଣୁ ଶୟନ ମୁଦ୍ରାରେ ରହୁଥିବାରୁ ତିନି ଲୋକର କଥା ବୁଝନ୍ତି ସ୍ବୟଂ ମହାଦେବ। ଏହି କାରଣ ଯୋଗୁଁ ବୋଲବମ୍ ଯାତ୍ରୀ ଗଙ୍ଗାଜଳ ପାଇଁ ହରିଦ୍ବାର ଆସନ୍ତି। ଏହି ଯାତ୍ରା ସମୟରେ ଭକ୍ତମାନେ ଖାଲିପାଦରେ ଚାଲନ୍ତି। ଅନ୍ୟପଟେ ଏବେ ବୋଲବମ୍‌ ଯାତ୍ରାରେ କେବଳ ପୁରୁଷ ନୁହଁନ୍ତି, ମହିଳା ଓ ଛୋଟପିଲାମାନେ ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳୁଛି।

କିଛି କ୍ଷେତ୍ରରେ କାଉଡ଼ିଆ ଯାତ୍ରା ତାମସିକ ଓ ବ୍ୟବସାୟିକ ରୂପ ନେଲାଣି। ଏବେ ଅନେକାଂଶରେ ବୋଲବମ୍ ଯାତ୍ରାରେ ଡିଜେ ଓ ନିଶାର ଅବାଧ ପ୍ରବେଶ ଦେଖିବାକୁ ମିଳୁଛି । ଯାହାକି ଶିବ ଭକ୍ତଙ୍କୁ କୁଠାରାଘାତ କରୁଛି।

ଏହି ପବିତ୍ର ମାସରେ ଆମ ଭିତରେ ଏକ ପ୍ରତିବଦ୍ଧତା ରହୁ ଶିବ ଯେପରି ବିଷ ପାନ କରି ଦୁନିଆକୁ ଅମୃତ ଦାନ କରିଥିଲେ ତାଙ୍କ ଗୁଣ ସ୍ଵରୂପ ଆମେ ଆମ ଭିତରେ ଥିବା ଗର୍ବ, ଅହଙ୍କାର, ସ୍ଵାର୍ଥପରତା, ନିଷ୍ଠୁରତା ଆଦି ଖରାପ ଗୁଣ ଗୁଡ଼ିକୁ ତ୍ୟାଗ କରି ଏକ ସୁସ୍ଥ ସୁନ୍ଦର ସହଜ ପରିବାର ତଥା ସମାଜ ଗଠନ ଦିଗରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶିବ ସମସ୍ତଙ୍କର ମଙ୍ଗଳ କରନ୍ତୁ।

 

Leave a Reply

Your email address will not be published. Required fields are marked *