Oplus_131072

ରାଜ୍ୟବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରମୁଖ ଧାର୍ମିକ ଓ ଐତିହାସିକ ସ୍ଥାନରେ ‘ଆଶୀର୍ବାଦର ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ସେବା, ସମର୍ପଣ ଓ ଜନକଲ୍ୟାଣର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଏହି କ୍ରମରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସର ଆଶିର୍ବାଦ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମା’ ବିରଜାଙ୍କ ମନ୍ଦିର ପରିସରରେ ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଗୌତମ ରାୟ, ଯାଜପୁର ପୌରପାଳିକା ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ, ଅତିରିକ୍ତ ତହସିଲଦାର, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବର୍ଗର ଜନପ୍ରତିନିଧି, ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ସାଧାରଣ ଜନତା ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ।

ଏହି ଅବସରରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୌତମ ରାୟ କହିଛନ୍ତି ଯେ, ‘ସେବା ସଂକଳ୍ପ ଅଭିଯାନ’ ମାସେବ୍ୟାପୀ ଉତ୍ସାହ ଓ ସମର୍ପଣର ସହ ପାଳନ କରାଯିବ। ସେବା ଓ ଜନକଲ୍ୟାଣକୁ ଅଭିଯାନର ମୂଳମନ୍ତ୍ର କରି ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ସହ ଲୋକଙ୍କ ସେବା ପାଇଁ କାର୍ଯ୍ୟକର୍ତ୍ତାମାନେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ପ୍ରଜ୍ୱଳିତ ଦୀପ ମାଧ୍ୟମରେ ସେବା, ସମର୍ପଣ, ମହିଳା ସଶକ୍ତିକରଣ ଓ ଜନକଲ୍ୟାଣ ପ୍ରତି ସାମୂହିକ ସଂକଳ୍ପର ବାର୍ତ୍ତା ପ୍ରତିଫଳିତ ହୋଇଥିଲା। ଆଗାମୀ ଏକ ମାସ ଧରି ଜିଲ୍ଲାରେ ଅଭିଯାନକୁ ବ୍ୟାପକ ଭାବେ ଜନସମ୍ପୃକ୍ତ କରାଯିବ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *