ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅଧ୍ୟକ୍ଷ ପଦ ଛାଡିବେ ବୋଲି ଗ୍ରେଗ୍ ବାର୍କଲେ ମଙ୍ଗଳବାର ଘୋଷଣା କରିଛନ୍ତି। ଆସନ୍ତା ନଭେମ୍ବରରେ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ସେ ଏହି ହାଇପ୍ରୋଫାଇଲ ପଦରୁ ଅପସରିଯିବେ। ଦୀର୍ଘ ୪ ବର୍ଷ ଧରି ସେ ଏହି ପଦରେ ରହି ଗୁରୁଦାୟିତ୍ୱ ସମ୍ଭାଳି ଆସୁଥିଲେ।
ସେ ୨୦୨୦ ନଭେମ୍ବରରେ ଆଇସିସିର ସ୍ୱତନ୍ତ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୨୨ରେ ଏହି ପଦକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ଅନ୍ତର୍ଜାତୀୟ କ୍ରିକେଟରେ ଉନ୍ନତୀ ଓ ସୁଶାସନ ଦେଖିବାକୁ ମିଳିଥିଲା। ୬୨ ବର୍ଷୀୟ ବାର୍କଲେ ନ୍ୟୁଜିଲାଣ୍ଡର ହାମିଲଟନରେ ଜନ୍ମଗ୍ରହଣ କରିଥିଲେ। ଜଣେ କ୍ରିକେଟ ପ୍ରଶାସକ ଭାବେ ତାଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ବାର୍କଲେ ଉତ୍ତରାଧିକାରୀ ଭାବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଦାୟିତ୍ୱ ନେଇପାରିନ୍ତ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୨୫ରେ ଶାହା ବିସିସିଆଇ ସମ୍ପାଦକ ଭାବେ ୫ ବର୍ଷ ପୂରଣ କରିବେ ଓ ଏହାପରେ ସେ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ଅନ୍ୟପଟେ ଯଦି ଜୟ ଶାହା ଆଇସିସିର ଅଧ୍ୟକ୍ଷ ହୁଅନ୍ତି, ସେ ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ ହେବେ। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବର୍ତ୍ତମାନ ୩୫ ବର୍ଷ ବୟସ ହୋଇଛି। ଯଦି ସେ ଆଇସିସି ଚେୟାରମ୍ୟାନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ଜିତନ୍ତି ତେବେ ସେ ଇତିହାସ ସୃଷ୍ଟି କରିବେ। ଜୟ ଶାହା ଆଇସିସିର ସର୍ବ କନିଷ୍ଠ ସଭାପତି ହେବେ। ଏଥି ସହିତ ତୃତୀୟ ଭାରତୀୟ ଭାବେ ଜୟ ଶାହା ଏହି ପଦରେ ଅଳଙ୍କୃତ ହେବେ। ଏହା ପୂର୍ବରୁ ଜଗମୋହନ ଡାଲମିଆ ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ଏବଂ ଶରଦ ପାୱାର ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଆଇସିସିର ମୁଖ୍ୟ ପଦରେ ରହିଥିଲେ।
ରିପୋର୍ଟ ଅନୁଯାୟୀ, ଆଇସିସି କାର୍ୟ୍ୟକାଳ ସମ୍ବନ୍ଧରେ ନୂତନ ନିୟମ କରିଛି। ଆଇସିସି ସଭାପତିଙ୍କ କାର୍ଯ୍ୟକାଳ ପୂର୍ବରୁ ୨ ବର୍ଷ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୩ ବର୍ଷ କରାଯାଇଛି। କିନ୍ତୁ ଯେ କୌଣସି ବ୍ୟକ୍ତି ଏହି ପୋଷ୍ଟରେ କେବଳ ଦୁଇଥର ରହିପାରିବେ। ଯଦି ଜୟ ଶାହା ଚେୟାରମ୍ୟାନ୍ ହୁଅନ୍ତି, ତେବେ ସେ ଏହି ପଦବୀରେ ୩ ବର୍ଷ ରହିବେ ଏବଂ ଏହା କରିବା ପରେ ସେ ୨୦୨୮ ମସିହାରେ ବିସିସିଆଇର ସଭାପତି ହେବାକୁ ଯୋଗ୍ୟ ହେବେ।