Oplus_131072

ନୂଆଦିଲ୍ଲୀ: ସ୍ବାଧୀନତା, ମାନବିକ ଅଧିକାର, ଗାଣତାନ୍ତ୍ରିକ ମୂଲ୍ୟବୋଧ, ସାର୍ବଭୌମତ୍ବ ଓ ଭୌ‌ଗୋଳିକ ସଂହତିର ନିୟମ ଉପରେ ଆନ୍ତର୍ଜାତିକ ବ୍ୟବସ୍ଥା ନିର୍ଦ୍ଧାରିତ ହେବା ଉଚିତ। ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍‌ସ, ଭିଏତନାମ, ତାଇୱାନ୍‌ ଓ ଜାପାନ ଆଦି ଦେଶ ଉପରେ ଚୀନର ଆଧିପତ୍ୟ ବିସ୍ତାରକୁ ତୀବ୍ର ସମାଲୋଚନା କରାଯିବା ସହ ଅନ୍ୟ ଦେଶ ଉପରେ କୌଣସି ଦେଶର ପ୍ରଭୂତ୍ବ ବିସ୍ତାରକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ଜାପାନ ରାଜଧାନୀ ଟୋକିଓରେ ଅନୁଷ୍ଠିତ କ୍ବାଡ୍‌ ବିଦେଶମନ୍ତ୍ରୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

ଆଜିର ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର, ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲି‌ଙ୍କେନ, ଜାପାନ ବୈଦେଶିକ ମନ୍ତ୍ରୀ ୟୋକୋ କାମିକାୱା ଓ ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ୍‌ ଯୋଗ ଦେଇଥିଲେ। ବୈଠକ ପରେ ମିଳିତ ବିବୃତିରେ ମନ୍ତ୍ରୀମାନେ କହିଛନ୍ତି, ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ମୁକ୍ତ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ କ୍ବାଡ୍‌ ପ୍ରତିଶ୍ରୁତିବଦ୍ଧ । ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ବିକାଶ ନିମନ୍ତେ ସମସ୍ତ ଦେଶର ଭୂମିକା ରହିଛି। ପ୍ରତିଦ୍ବନ୍ଦ୍ବିତା ଦାୟିତ୍ବପୂର୍ଣ୍ଣ ଭାବେ ହେବା ଆବଶ୍ୟକ। ପ୍ରତି ରାଷ୍ଟ୍ର ସମସ୍ତ ପ୍ରକାରର ବଳପ୍ରୟୋଗ ଠାରୁ ମୁକ୍ତ ରହିବା ଉଚିତ ଏହାଦ୍ବାରା ‌ପ୍ରତି ରାଷ୍ଟ୍ର ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିପାରିବେ। ଦକ୍ଷିଣ ଚୀନ ସାଗରରେ ବିବାଦୀୟ ସୀମାରେ ସାମରିକୀକରଣ ବିରୋଧରେ କ୍ବାଡ୍‌ ଚିନ୍ତା ପ୍ରକଟ କରିଛି। ଦକ୍ଷିଣ ଓ ପୂର୍ବ ଚୀନ ସାଗରରେ ମିଳିତ ଜାତିସଂଘର ସାମୁଦ୍ରିକ ଆଇନ (ୟୁଏନ୍‌ସିଏଲ୍‌ଓଏସ୍‌) ପାଳିତ ହେବା ଆବଶ୍ୟକ। ଏହାସହ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପଠାନକୋଟ ଆକ୍ରମଣ ଆଦି ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି। ମିଳିତ ଜାତିସଂଘ ଦ୍ବାରା ଆତଙ୍କବାଦୀ ଘୋଷିତ ଅଲ୍‌ କାଏଦା, ଆଇଏସ୍‌ଆଇଏସ୍‌/ଦ‌ଏସ୍‌, ଲସ୍କର ଏ ତାଏବା, ଜୈସ ଏ ମହମ୍ମଦ ଓ ଅନ୍ୟ ସଂଗଠନଗୁଡ଼ିକ ବିରୋଧରେ ପଦକ୍ଷେପ ପାଇଁ ବୈଠକରେ ଆହ୍ବାନ କରାଯାଇଛି।

Leave a Reply

Your email address will not be published. Required fields are marked *