ଭୁବନେଶ୍ବର: ରାଜଧାନୀରେ ଧଳାଜହର ଓ ଚୋରା ବନ୍ଧୁକ ବେପାରର କାୟା ମେଲାଇ ଚାଲିଥିବା ନିଶା ସୌଦାଗର ସୁବ୍ରତ ଖୁଣ୍ଟିଆ ଧରାପଡ଼ିଛି। ଚାରି ମାସର କସରତ ପରେ ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ତାକୁ ଧରିବାରେ ସଫଳ ହୋଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ବୁଲିବୁଲି ପୁଣି ଓଡ଼ିଶା ଫେରିବା ପରେ କମିସନରେଟ୍ ପୁଲିସ ତାକୁ ଗତକାଲି ରାତିରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରୁ ଗିରଫ କରିଛି। ମାତ୍ର ମାଟ୍ରିକ୍ ପାସ୍ କରିଥିବା ସୁବ୍ରତ ସେଠାରେ ନିଜକୁ ଜଣେ ଇଂଜିନିୟର୍ ବୋଲି ପରିଚୟ ଦେଇ ସେ ଭଡ଼ାରେ ରହୁଥିଲା। ବ୍ରାଉନ୍ସୁଗାର ଓ ଚୋରା ବନ୍ଧୁକ କାରବାର କରୁଥିବା ସୁବ୍ରତର ନେଟ୍ୱର୍କ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଲମ୍ବିଥିବା ଜଣାପଡ଼ିଛି। ତେଣୁ ଅଧିକ ଖୋଳତାଡ଼ କରିବାକୁ ତାକୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି।