(ସୁଲଗ୍ନା ମହାନ୍ତି) : ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ ବର୍ଷକର ଦୁଃଖକଷ୍ଟ ଭୁଲି ପର୍ବରେ ସାମିଲ ହୁଅନ୍ତି। ଏକାଠି ହୋଇ ଉତ୍ସବ କରି ଏକତାର ସୂତ୍ରରେ ବାନ୍ଧି ହେବାପାଇଁ ଅବସରଟିଏ ଦେଇଥାଏ ଏହି ପର୍ବ। ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଳ ପଞ୍ଚମୀ ତିଥିରେ (ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
କେତେକ ଅଞ୍ଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୁମଧାମ୍ରେ ପାଳିତ ହୋଇଥାଏ।
ନୂଆଁଖାଇ ଯେ, କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ, ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ନିର୍ଦ୍ଦିଷ୍ଟ ପର୍ବ ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ସ୍ରଷ୍ଟାଙ୍କ ପ୍ରତି ସମର୍ପଣ ଓ କୃତଜ୍ଞ ହେବାର ପ୍ରତୀକ ମହାନ୍ ଗଣପର୍ବ ନୂଆଁଖାଇ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ୟ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର ଆରମ୍ଭ ହୋଇଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାର ସମସ୍ତେ ଖାଇଥାନ୍ତି।ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍ଘାଟ୍ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।