Oplus_131072

ଭବାନୀପାଟଣା: ସ୍ଥାନୀୟ ନଗରପାଳ ସଂଯୁକ୍ତା ବେହେରାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ସୋମବାର ସ୍ଥାନୀୟ କାଉନସିଲ ହଲରେ ସ୍ବତନ୍ତ୍ର ବୈଠକ ଏବଂ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସ୍ଥିତ ୨୦ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ଉପନଗରପାଳ ବିଷ୍ଣୁ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ଫଳରେ ନଗରପାଳ ସଂଯୁକ୍ତା ବେହେରା ଅନାସ୍ଥାରେ ହାରିଯାଇଥିବା ଜଣାପଡ଼ିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ୧୧ଟା ବେଳେ ନଗରପାଳିକା ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକ ଏବଂ ମତଦାନରେ ଅତିରିକ୍ତ ଜିଲାପରିଷଦ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାରଣା ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ। ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହେଇଥିବା ଶ୍ରୀ ମହାରଣା ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ଅନାସ୍ଥାରେ ନଗରପାଳ ହାରିବା ନେଇ ସେ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ। ହେଲେ ଅନାସ୍ଥା ସପକ୍ଷରେ ଭୋଟ ଦେଇ କାଉନସିଲରମାନେ ବାଣ ଫୁଟାଇ ଖୁସି ମନାଇଥିଲେ। ତେବେ ଆଜିର ଅନାସ୍ଥା ପ୍ରସ୍ତାବ ମତଦାନ ପରେ ଗତ କିଛି ମାସ ଧରି ନଗରପାଳ ଏବଂ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ଅବସାନ ଘଟିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦ ଟି ୱାର୍ଡ ବିଶିଷ୍ଟ ନଗରପାଳିକାରେ ବିଜେଡିର ୧୮ ତଥା ବିଜେପି ଏବଂ କଂଗ୍ରେସର ଜଣେ ଲେଖାଏଁ କାଉନସିଲର ଅଛନ୍ତି। ନଗରପାଳିକାର ବିଭିନ୍ନ କାର୍ଯ୍ୟରେ ନଗରପାଳଙ୍କ ପୁଅଙ୍କ ହସ୍ତକ୍ଷେପ ତଥା ଅନ୍ୟାନ୍ୟ ଅଭିଯୋଗ କରି ଗତ ଜୁନ ୨୮ ତାରିଖ ଦିନ କାଉନସିଲର ମାନେ ଜିଲାପାଳଙ୍କୁ ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଥିଲେ। ସେହି ଅନୁଯାୟୀ ଜୁଲାଇ ୧୨ ତାରିଖ ଦିନ ସ୍ବତନ୍ତ୍ର ବୈଠକ ଏବଂ ମତଦାନ ପାଇଁ ଜିଲାପାଳ ଦିନ ଧାର୍ଯ୍ୟ କରିଥିଲେ। ତେବେ ନଗରପାଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାଯୋଗୁଁ ଏହା ଜୁଲାଇ ୩୧ଯାଏଁ ସ୍ଥଗିତ ରହିଥିଲା। ପରେ ନଗରପାଳଙ୍କ ଆବେଦନ ହାଇକୋର୍ଟଙ୍କ ଦ୍ବାରା ଖାରଜ ହେବାପରେ ଆଜି ବୈଠକ ଏବଂ ମତଦାନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଜଣେ ବିଜେଡି ନଗରପାଳଙ୍କ ବିରୁଦ୍ଧରେ ବିଜେଡି କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଆଣିବା ଏବଂ ଏଥିରେ ବିଜେଡି ନେତୃବର୍ଗ ହସ୍ତକ୍ଷେପ ନକରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏଥିରୁ ଜିଲା ବିଜେଡିରେ ଗୋଷ୍ଠୀ କନ୍ଦଳ ଜଳଜଳ ଦିଶୁଥିବାବେଳେ ଏହା ରାଜ୍ୟ ନେତୃବୃନ୍ଦଙ୍କ ନିୟନ୍ତ୍ରଣ ବାହାରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *