Oplus_131072

ନୂଆଦିଲ୍ଳୀ: ହିଜବୁଲ୍ଲା ଓ ଇରାନ୍‌ ଠାରୁ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିକଟତର ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ପୂର୍ବତନ ଜେନେରାଲ୍‌ ମତ ଦେଇଛନ୍ତି। ଅପରପକ୍ଷରେ, ଯୁଦ୍ଧର ଘନଘଟାକୁ ଲକ୍ଷ୍ୟ କରି ଇସ୍ରାଏଲ୍‌କୁ ସହାୟତା ନିମନ୍ତେ ଆମେରିକା ମଧ୍ୟପ୍ରାଚ୍ୟରେ ଥିବା ସେନା ଛାଉଣୀକୁ ଅତିରିକ୍ତ ସେନା, ଅସ୍ତ୍ରଶସ୍ତ୍ର ପଠାଇବା ସହ ମାରାତ୍ମକ କ୍ଷେପଣାସ୍ତ୍ର ସଂ‌ଯୋଜିତ ବୁଡ଼ାଜାହାଜ ପଠାଇଛି।

ଅବସରପ୍ରାପ୍ତ ମେଜର ଜେନେରାଲ୍‌ ଜିଭ୍‌ କହିଛନ୍ତି, ଆମେ ବର୍ତ୍ତମାନ ସମ୍ଭାବ୍ୟ ଯୁଦ୍ଧର ଅନ୍ତିମ ସୀମା ନିକଟରେ ପହଞ୍ଚିଛୁ। ଏହି ଠାରୁ ଆଞ୍ଚଳିକ ଯୁଦ୍ଧ ନିକଟତର। ସଂପ୍ରତି ସୁରକ୍ଷା ବ୍ୟବସ୍ଥା କିମ୍ବା ଆମ ମଧ୍ୟ‌ରୁ କେହି ହେଲେ ଜାଣନ୍ତି ନାହିଁ ଯେ ହିଜବୁଲ୍ଲା ଓ ଇରାନ୍‌ର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ। ଏହି ସମୟରେ ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ କହିଛନ୍ତି ଯେ ତାଙ୍କୁ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ଜଣାଇଛନ୍ତି ଇରାନ୍‌ ଏକ ବଡ଼ଧରଣର ଆକ୍ରମଣ ନିମନ୍ତେ ସେନା ପ୍ରସ୍ତୁତ କରୁଛି।

ସୂଚନାଯୋଗ୍ୟ ଗତମାସରେ ଇସ୍ରାଏଲ୍‌ ଅଧୀକୃତ ଗୋଲାନ୍‌ ହାଇଟ୍‌ସରେ ହିଜବୁଲ୍ଲାର କ୍ଷେପଣାସ୍ତ୍ର ଆକ୍ରମଣରେ ଖେଳପଡ଼ିଆରେ ଖେଳୁଥିବା ୧୨ ବାଳକ ଓ ବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇସ୍ରାଏଲ୍‌ ହିଜବୁଲ୍ଲାର କମାଣ୍ଡରକୁ ବେରୁଟ୍‌ରେ ହତ୍ୟା କରିଥିଲେ। ଏହି ହତ୍ୟାର ଗୋଟିଏ ଦିନ ପରେ ଇରାନ୍‌ରେ ହମାସ ମୁଖ୍ୟ ଇସମାଇଲ୍‌ ହାନିୟାଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ଇସ୍ରାଏଲ୍‌କୁ ଦାୟୀ କରି ଇରାନ୍‌ ‘ନିଶ୍ଚିତ ପ୍ରତିଶୋଧ’ ନେବ ବୋଲି ଘୋଷଣା କରିଥିଲା।

Leave a Reply

Your email address will not be published. Required fields are marked *