ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ ପଦବୀ ଟିଜିଟି (ଓଡ଼ିଆ) ଭାବେ ଘୋଷଣା କରାଯାଇଛି । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।୨୦୨୩ ମସିହାରେ ଟିଜିଟି(କଳା) ପାଇଁ ଓଡିଶାରେ ସୃଷ୍ଟି ହୋଇଥିବା ମୋଟ ୧,୯୮୪ ଟିଜିଟି (ଓଡ଼ିଆ) ପଦବୀର ୪୯୬ ଟି ପଦବୀ ଏହି ସୁବିଧା ପାଇବେ ବୋଲି ବିଭାଗ କହିଛି। ଟିଜିଟି(ଓଡ଼ିଆ) ପଦବୀଗୁଡ଼ିକ ଟିଜିଟି(କଳା) ବର୍ଗ ଅଧୀନରେ ଏକ ଉପ-ବର୍ଗ ହେବ ବୋଲି ବିଭାଗ କହିଛି। ଏହାସହ ଏହି ପଦକ୍ଷେପ ଓଡିଆ ଭାଷାକୁ ପ୍ରୋତ୍ସାହିତ କରିବ ଏବଂ ଓଡିଆରେ ପାରଦର୍ଶୀ ପ୍ରାର୍ଥୀଙ୍କ ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ମୋଟ ୬,୦୨୫ ଶିକ୍ଷକ ନିଯୁକ୍ତି କରିବାକୁ ଘୋଷଣା କରିଛି।