ଚଳିତ ୨୦୨୪-୨୫ ବର୍ଷ ପାଇଁ କଟକ ଜିଲ୍ଲାରେ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ । ତେଣୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା ବୈଠକରେ କଟକ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇଛନ୍ତି। ଏହି ବୈଠକରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ଧାନ କ୍ରୟ ବେଳେ ‘କଟନୀ ଛଟନୀ’ କରାଯିବ ନାହିଁ। ଏଫଏକ୍ୟୁ ମାନର ଧାନ ପାଇଁ କ୍ୱାଲିଟି ଗ୍ରେନ ଆନାଲାଇଜର ମେସିନ ବ୍ୟବହାର କରାଯିବ । ମଣ୍ଡିରେ ସିସିଟିଭି କ୍ୟାମେରା ଓ ଗାଡ଼ିରେ ଜିପିଏସ୍ ବ୍ୟବହାର କରାଯିବ ।
ମନ୍ତ୍ରୀ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ନେଇ ଚେତାବନୀ ଦେଇ କହିଛନ୍ତି ଅସାଧୁ ବେପାରୀଙ୍କୁ କିଛି ଅଫିସର ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି। ତେବେ ଅଫିସରମାନେ ସଜାଗ ରୁହନ୍ତୁ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରିବା ସହ ଧନୀକ ବ୍ୟକ୍ତି ବିଶେଷ ହାତେଇଥିବା ରାସନ କାର୍ଡ କାଟିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
