ବାଲେଶ୍ୱର, ୭ ଅଗଷ୍ଟ: ଭାରତୀୟ ଜନତା ପାର୍ଟି, ବାଲେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସଜୀଙ୍କ ୬୫୦ତମ ଜନ୍ମ ଜୟନ୍ତୀ ପାଳନ ଏବଂ ‘ହର ଘର ତିରଙ୍ଗା’ ଯାତ୍ରାର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବାଲେଶ୍ୱର ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀ ତଥା ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ‘ହର ଘର ତିରଙ୍ଗା’ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।

ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ବେହେରା, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର, ଡେପୁଟି ଚିଫ୍ ହ୍ୱିପ୍ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ଉପସଭାପତି ଶ୍ରୀମତୀ ସିପ୍ରା ବାଜପେୟୀ, ବରିଷ୍ଠ ନେତା ଶ୍ରୀ ପର୍ଶୁରାମ ପରିଡ଼ା, ଶ୍ରୀମତୀ ସୁଷମା ବିଶ୍ୱାଳ, ଶ୍ରୀମତୀ ମମତା ମହାପାତ୍ର, ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ବୈଠକରେ ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସଜୀଙ୍କ ସମରସତା, ସେବା ଓ ସାମାଜିକ ସମାନତାର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ‘ହର ଘର ତିରଙ୍ଗା’ ଅଭିଯାନକୁ ଘରେ ଘରେ ସଫଳ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ କାର୍ଯ୍ୟକର୍ତ୍ତା ରାଷ୍ଟ୍ରଭକ୍ତିର ବାର୍ତ୍ତାକୁ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ପହଞ୍ଚାଇବା ଓ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

Leave a Reply

Your email address will not be published. Required fields are marked *