Oplus_131072

ୱାୟନାଡ଼: ୱାୟନାଡ଼ର ମୁଣ୍ଡାକ୍କାଇରେ ଗତକାଲି ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା‌ ୨୭୦ରେ ପହଞ୍ଚିଛି। ୨୨୫ ଜଣ ଏବେ ବି ନିଖୋଜ ଅଛନ୍ତି। ୨୦ ଘଣ୍ଟାର ଉଦ୍ଧାର ଅପରେସନ୍‌ ଗତରାତି‌ରେ ଅସ୍ଥାୟୀ ଭାବେ ବନ୍ଦ ରହିବାପରେ ଆଜି ସକାଳେ ପୁଣି ଆରମ୍ଭ ହୋଇଥିଲା। ଏଯାବତ ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି। ୧୬୭ ମର ଶରୀରର ବ୍ୟବଚ୍ଛେଦ ‌ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି। ଗତକାଲି ଚେଲିୟାର ନଦୀରୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ଚେଲିୟାର ନଦୀରୁ ୮୩ଟି ଶବ ମିଳିଛି। ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍‌ ଶିବିର ଖୋଲାଯାଇଛି ଏବଂ ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସହ କଥା ହୋଇଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳରେ ସେନା ଦ୍ବାରା ଚାଲିଥିବା‌ ଉଦ୍ଧାର ଅଭିଯାନ ସଂକ୍ରାନ୍ତରେ ବୁଝିଛନ୍ତି। ସ୍ଥଳସେନା ଏବଂ ନୌସେନାର ଅଧିକ ସଦସ୍ୟ ଆଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ମାଟିତଳୁ, ଭଙ୍ଗାଘରୁ ଏବଂ ପଙ୍କ କାଦୁଅରେ ପୋତି ହୋଇଯାଇଥିବା ଘରୁ ସେନା ସଦସ୍ୟ ମୃତଦେହ ଖୋଜୁଛନ୍ତି। ମୃତଦେହଗୁଡ଼ିକୁ ‌ମେପ୍ପଡ଼ି ପରିବାର ସ୍ବାସ୍ଥ୍ୟକେନ୍ଦ୍ର ଏବଂ ନିଲମ୍ବୁର ସରକାରୀ ହସ୍ପିଟାଲରେ ରଖାଯାଉଛି।

Leave a Reply

Your email address will not be published. Required fields are marked *