Oplus_131072

ନୂଆଦିଲ୍ଲୀ: କିଂବଦନ୍ତି କ୍ରିକେଟର୍‌ ଅଂଶୁମାନ ଗାଏକ୍ବାଡଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଅନେକ ଦିନଧରି ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଲଣ୍ଡନର କିଙ୍ଗ୍‌ସ କଲେଜ ହସ୍ପିଟାଲ୍‌ରେ ଚିକିତ୍ସା ଚାଲିବା ପରେ ଗତ ମାସରେ ସେ ବଡ଼ୋଦରା ଫେରି ଆସିଥିଲେ। ଶେଷ ସମୟରେ ପୁଅ ଶତ୍ରୁଞ୍ଜୟ ତାଙ୍କ ପାଖରେ ଉପସ୍ଥିତ ଥିଲେ। ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଅଂଶୁମାନ ଭାରତ ପାଇଁ ୧୯୭୫ରୁ ୧୯୮୭ ମସିହା ମଧ୍ୟରେ ୪୦ ଟେଷ୍ଟ୍‌, ୧୫ ଦିନିକିଆ ଖେଳିଛନ୍ତି। ଏଥିସହ ୨୨ ବର୍ଷର କ୍ରିକେଟ୍‌ ‌କ୍ୟାରିୟରରେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି। ଟେଷ୍ଟ୍‌ରେ ସେ ୧୯୮୫ ରନ୍‌ ସଂଗ୍ରହ କରିଥିଲା ବେଳେ ପାକିସ୍ତାନ ବିପକ୍ଷରେ ସର୍ବୋଚ୍ଚ ୨୦୧ ରନ୍‌ ସଂଗ୍ରହ କରିଥିଲେ। ଦିନିକିଆରେ ୨୬୯ ରନ୍‌ କରିଥିଲେ। ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ୧୯୯୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସେ କାର୍ଯ୍ୟକାଳରେ ରହିଥିଲେ। ତାଙ୍କ ସମୟରେ ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରି କୀର୍ତ୍ତିମାନ କରିଥିଲେ। ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା। ଗାଏକ୍ବାଡଙ୍କ ପରଲୋକରେ ବିସିସିଆଇ ସଭାପତି ରୋଜର ବିନ୍ନି, ସମ୍ପାଦକ ଜୟ ଶାହ ଓ ଅନେକ କ୍ରିକେଟ୍‌ପ୍ରେମୀ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *