Oplus_131072

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍‌ ୨୦୨୪-୨୫ ଆଗତ କରାଯାଇଛି। ଏଥର ବଜେଟ୍‌ରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଅନେକ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ପର୍ଯ୍ୟଟନ ବିକାଶ ଏବଂ ପୂର୍ବୋଦୟ ଯୋଜନାର ଘୋଷଣା କରାଯାଇଛି। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ସହାୟତା ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍‌ ଭାଷଣରେ କହିଛନ୍ତି। ସେ କହିଛନ୍ତି ପ୍ରାକୃତିକ ‌ଶୋଭାରେ ସମୃଦ୍ଧ ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡ଼ିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ବ ଦିଆଯିବ। ଓଡ଼ିଶାର ପର୍ଯ୍ୟଟନସ୍ତଳୀକୁ ବିଶ୍ବସ୍ତରୀୟ କରାଯିବ। ହେଲେ ସହାୟତା ରାଶିର ପରିମାଣ ସଂପର୍କରେ ବଜେଟ ଭାଷଣରେ କିଛି ଉଲ୍ଲେଖ କରାଯାଇନାହିଁ। ଏଥି ସହିତ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ ଭାଷଣରେ ସ୍ବତନ୍ତ୍ର ପୂର୍ବୋଦୟ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଦେଶର ପୂର୍ବାଂଚଳ ରାଜ୍ୟଗୁଡ଼ିକର ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି। ପୂର୍ବଦୋୟ ଯୋଜନା ଅନ୍ତର୍ଗତ ପୂର୍ବାଂଚଳ ରାଜ୍ୟ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶର ସାମଗ୍ରିକ ବିକାଶ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏସବୁ ରାଜ୍ୟଗୁଡ଼ିକରେ ମାନବ ସମ୍ବଳର ବିକାଶ ସହିତ ଭିତ୍ତିଭୂମିର ବିକାଶ ଏବଂ ଆର୍ଥିକ ସୁଯୋଗର ଧାରା ସୃଷ୍ଟି କରାଯିବ। ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ଓଡ଼ିଶା ସଂପର୍କରେ ଉଲ୍ଲେଖ କରିବା ସମୟରେ ଓଡ଼ିଶା ବିଜେପିର ସମସ୍ତ ସାଂସଦ ଟେବୁଲ ବାଡେଇ ଜୟ ଜଗନ୍ନାଥ ନାରା ସହିତ ଖୁସି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *