sulagna speaks:

ପ୍ରକୃତ ପୁରୁଷ ସଂଘର୍ଷ କରେ, କେବେ ହାର ମାନେ ନାହିଁ।
ଜୀବନର ରାସ୍ତା ସବୁବେଳେ ସହଜ ନୁହେଁ। କେବେ ଦାୟିତ୍ୱ, କେବେ ପରିବାରର ଚିନ୍ତା, କେବେ ନିଜ ସ୍ୱପ୍ନ ପାଇଁ ରାତି ଦିନ ବ୍ୟସ୍ତତା।
ହସ ପଛରେ ଲୁଚିଥାଏ ଶତ କଷ୍ଟ, କିନ୍ତୁ ସେ କେବେ ଅଭିଯୋଗ କରିନାହିଁ। ହାରିବା ପରିସ୍ଥିତି ଆସିଲେ ବି ପୁଣି ଆରମ୍ଭ କରିବାର ଆତ୍ମବିଶ୍ୱାସ ହିଁ ତାର ପରିଚୟ।

ପୁରୁଷତ୍ୱ ଅହଂକାରରେ ନୁହେଁ,
ସହନଶୀଳତା ଓ ଦାୟିତ୍ୱରେ ଅଛି।

ତାପରେ ବି ପୁରୁଷ ବି ଗୋଟେ ମଣିଷ ମ… କିଏ କହିଲା ସିଏ ପଥର ବୋଲି… ପୁରୁଷ ଭିତରେ ବି ଗୋଟେ ନାରୀ ଲୁଚିରହିଥାଏ । ନହେଲେ ସିଏ କଣ ପାଇଁ କାନ୍ଦେ… ନାରୀ ଲୁହର ପ୍ରତୀକ ନୁହେଁ ପୁରୁଷ ବି ପଥର ନୁହେଁ । ନାରୀ ଆଉ ପୁରୁଷ ଖାଲି ଲିଙ୍ଗ ଅନୁସାରେ ପରସ୍ପର ଠୁ ଅଲଗା । ନଚେତ ସେମାନେ ମଣିଷ ଜାତିର । ମନ, ହୃଦୟ, ଶରୀର ଧାରୀ ଭଗବାନଙ୍କ ସୁନ୍ଦର ସୃଷ୍ଟି । ନିଜକୁ ପରସ୍ତ ପରସ୍ତ କରି ବାଣ୍ଟି ଦେଇଛି ବୋଲି ତ ସିଏ ପୁରୁଷର ପରିଚୟ ପାଇଛି… ନିଜ ଛାତିକୁ ପଥର ପରି ଗଢିଛି ବୋଲି ତ ସମାଜ ତାକୁ ପୁରୁଷ ବୋଲି ଜାଣିଛି… ପୁରୁଷ ଗୋଟେ ବିଶ୍ବାସ, ଭରସା । ପୁରୁଷ ଗୋଟେ ପ୍ରାରମ୍ଭ, ପୁରୁଷ ଏକ ପ୍ରତିଶ୍ରୁତି, ପୁରୁଷ ପ୍ରତିଶୋଧ ନୁହେଁ, ପ୍ରତିବଦ୍ଧତାର ପ୍ରତୀକ…ପୁରୁଷ ଦାନ ଓ ଦାୟିତ୍ୱବୋଧତାର ପ୍ରତିଫଳନ । ପୁରୁଷ ପରିଶ୍ରମ, ପ୍ରତିଦାନ, ପ୍ରତିରୋଧର ପ୍ରତିଛବି । ପୁରୁଷ ବି ପ୍ରାପ୍ତି, ପୁରୁଷ ସ୍ବୀକୃତି, ପୁରୁଷ ହିଁ ଶକ୍ତି । ପୁରୁଷ ପୁଣି କାହାର ସାହସ ଓ ଦୃଢୋକ୍ତି…

ପୁରୁଷ ବି କାନ୍ଦି ପାରେ, ତା’କୁ ବି କଷ୍ଟ ହୁଏ, ଛାତି ତଳେ ତା’ର ଗୋଟେ ନିଆଁ ଲୁଚି ରହେ। ସମାଜର ଭାର କାନ୍ଧାଏ, ପୁରୁଷ ମାଟିର ମଣିଷ, ପରିବାରର ସାହସ । ଭାଙ୍ଗିବା ପରେ ଯୋଡ଼ିବାକୁ ହେବ ତା’କୁ ଆହୁରି ହଜାରେ ଥର । ପରିବାର ପାଇଁ ନୀରବରେ ସବୁ ଦାୟିତ୍ୱ ବହନ କରୁଥିବା ବାପା, ଭାଇ ଓ ପୁଅମାନେ ଜଣେ ଜଣେ ପୁରୁଷ । କମ୍ ରୋଜଗାର କରୁ କି ବହୁତ- ପୁରୁଷ ସବୁବେଳେ ପୁରୁଷ ।

ପିଲାଟି ଦିନରୁ ଶିଖାଇ ଦିଆଯାଏ… ପୁଅ ପିଲାଟା ପରା କାନ୍ଦୁଛୁ କ ‘ଣ… ଛି… ପୁଅ ପିଲାମାନେ କାନ୍ଦନ୍ତିନି । ବଡ଼ ହେଲେ ଆମକୁ ସମ୍ଭାଳିବୁ… ବାସ୍‌ ସେହି ଦିନଠାରୁ ହିଁ ଦାୟିତ୍ୱବାନ ହୋଇଯାଆନ୍ତି ପୁରୁଷମାନେ । ବିନା କୌଣସି ଅଭିଯୋଗରେ ଦାୟିତ୍ୱର ବୋଝ କାନ୍ଧେଇ ନିଏ ପୁରୁଷଟିଏ । ସେ ଜଣେ ବାପା…. ଜଣେ ପୁଅ… ଜଣେ ଭାଇ ଓ ଜଣେ ସ୍ୱାମୀ ହୋଇ ସବୁ ସହିଯାଏ । ବାପାଟିଏ ହୋଇଥିଲେ ଭୋକରେ ରହି ନିଜ ପିଲାଙ୍କ ଖାଇବା ଯୋଗାଡ଼ କରେ… ଭାଇ ହେଲେ ଭଉଣୀକୁ ସୁରକ୍ଷା ଦିଏ… ପୁଅ ହେଲେ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ … ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ… ହଁ ସିଏ ପୁରୁଷଟିଏ…

ଏ ତମାମ ଦାୟିତ୍ୱ ଭିତରେ ତା କଥା କିଏ କେବେ ବୁଝିଛି କି…? କେବେ ତା ଚେହେରା ଭିତରେ ଲୁଚି ରହିଥିବା ଥକାପଣକୁ କିଏ ଦେଖିଛି କି ? କିଏ କେବେ ତାକୁ ପଚାରିଛି କି ସେ କେମିତି ଅଛି ? ଗୁମ୍‌ସୁମ୍ ରହୁଥିବା ପୁରୁଷର ବେଦନାକୁ କେହି କେବେ ବୁଝିଛି କି ?ପ୍ରତିଦିନ ନିଜକୁ କେତେ ଥର ଭାଙ୍ଗି କେତେ ଥରେ ଗଢ଼େ ହିସାବ ନାହିଁ  । କେହି ମନେ ରଖିଛନ୍ତି ନାହିଁ ଯେ… ସେ ବି ମଣିଷଟିଏ… ସେ ସ୍ନେହ ଦିଏ…. ପ୍ରତିବଦଳରେ ସେ ବି ଭଲ ପାଇବା ବି ଖୋଜିଥାଏ । ତାର ବି କାନ୍ଦିବାର ଅଧିକାର ଅଛି… ଭାବନାର ସ୍ୱାଧୀନତା ତାର ବି ଅଛି । ତା କଥା ବି ଶୁଣିବା ସମାଜର ଦାୟିତ୍ୱ । କାରଣ ସେ ବି ବେଳେବେଳେ ଦୁର୍ବଳ ହୋଇଯାଏ । ତାକୁ ସାହାର ଦରକାର ହୁଏ… ତାକୁ ଭୟ ଲାଗେ… ତା ଆଖିରୁ ବି ଲୁହ ଝରେ… ତା ମନକୁ ବି କଷ୍ଟ ହୁଏ… ଦାୟିତ୍ୱ ବୋଝ ଭିତରେ ପୁରୁଷର ଖୁସି କେବେ ମଉଳି ନଯାଉ । ଆସନ୍ତୁ ନାରୀକୁ, ପରିବାରକୁ ପୁରୁଷ ଯେମିତି ବୁଝୁଛି, ଆମେ ତାକୁ ସେମିତି ବୁଝିବା…

Leave a Reply

Your email address will not be published. Required fields are marked *