Oplus_131072

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଆସନ୍ତାକାଲି ଆଇଏମ୍‌ଏ (ଇଣ୍ଡିଆନ ମେଡିକାଲ ଏସୋସିଏସନ୍‌) ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କରିଛି। ଅଗଷ୍ଟ ୧୭ ସକାଳ ୬ଟାରୁ ଡାକ୍ତରଙ୍କ ଧର୍ମଘଟ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୮ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । ‌କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍‌ଟି ସେବା ଉପଲବ୍ଧ ହେବ।

ଏହା ଦଶନ୍ଧିରେ ସବୁଠାରୁ ବଡ଼ ଆନ୍ଦୋଳନ ହେବ ଏବଂ ଅଧିକାଂଶ ହସ୍ପିଟାଲ୍‌ରେ ସେବା ବନ୍ଦ ରହିବ। ଅନ୍ୟପକ୍ଷେ ଅମୃତସର ସରକାରୀ ମେଡିକାଲ କଲେଜର କନିଷ୍ଠ ଡାକ୍ତରମାନେ ଆଜିଠାରୁ ସମସ୍ତ ଅଣ ଅତ୍ୟାବଶ୍ୟକ ହସ୍ପିଟାଲ୍‌ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ‌ବୋଲି ଘୋଷଣା‌ କରିଛନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ କନିଷ୍ଠ ଡାକ୍ତରମାନେ ଆଜି ଅପରାହ୍ନରେ ମିଳିତ ଆନ୍ଦୋଳନ ଯାତ୍ରା କରିବା ସହ ବିକଳ୍ପ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଡିଏମ୍‌ଏ (ଦିଲ୍ଲୀ ମେଡିକାଲ ଏସୋସିଏସନ୍‌) ପକ୍ଷରୁ ଆଜି ସନ୍ଧ୍ୟାରେ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିରୋଧରେ ଇଣ୍ଡିଆ ଗେଟ୍‌ ନିକଟରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସେହିପରି ମହାରାଷ୍ଟ୍ର ଏସୋସିଏସନ୍‌ ଅଫ୍‌ ‌ରେସିଡେଣ୍ଟ୍‌ ଡକ୍ଟର୍ସ (ମାର୍ଡ) ମଧ୍ୟ ଆଜି ମୁମ୍ବାଇର ଆଜାଦ ମଇଦାନରେ ପ୍ରତିବାଦ ଆନ୍ଦୋଳନ କରିଛି।

Leave a Reply

Your email address will not be published. Required fields are marked *