ଭୁବନେଶ୍ବର: ବହୁ ଦିନ ଧରି ରାଜଧାନୀରେ ସକ୍ରିୟ ଥିବା ଏକ ଛତିଶଗଡ଼ୀ ଲେଡି ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ ଠାବ କରିଛି। ମୋ’ ବସ୍‌ରେ ଯାତ୍ରୀଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗ୍‌ର ୩ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଛତିଶଗଡ଼ ରାୟପୁରର ଛାୟା ପାତ୍ର(୪୫), ଲତା ସେନ୍ଦେ(୫୦) ଓ ଉଜାଲା ଆଗନ୍‌ଲାଲ୍‌ ପତ୍ରୀ(୨୦)। ପୁଲିସ ସେମାନଙ୍କ ନିକଟରୁ ୨୨,୫୦୦ ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଆଧାରକାର୍ଡ ଜବତ କରିଛି। ଏହି ଗ୍ୟାଙ୍ଗ୍‌ର ଆହୁରି କିଛି ମହିଳା ଥିବା ପୁଲିସକୁ ସୂଚନା ମିଳିଛି। ଏମିତିକି ଏହି ଗ୍ୟାଙ୍ଗ୍‌କୁ ପରିଚାଳନା କରୁଥିବା ଜଣେ ମାଷ୍ଟରମାଇଣ୍ଡ ଥିବା ମଧ୍ୟ ଜଣାପଡ଼ିଛି। ତେଣୁ ସେମାନଙ୍କୁ ଠାବ କରିବାକୁ ପୁଲିସ ତନାଘନା ଜାରି ରଖିଛି। ସେହିଭଳି ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡ୍‌ରେ ଆଣିବାକୁ ଯୋଜନା କରାଯାଇଛି। ଏହାଛଡ଼ା ଏହି ମହିଳାମାନେ ଯେଉଁ ସବୁ ତଥ୍ୟ ଦେଇଛନ୍ତି, ତାହା ଠିକ୍‌ କି ନୁହେଁ ଜାଣିବାକୁ କମିସନରେଟ୍‌ ପୁଲିସ ଛତିଶଗଡ଼ ପୁଲିସକୁ ଚିଠି କରିଛି। ପୂର୍ବରୁ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରହିଛି କି ନା, ଜାଣିବାକୁ କମିସନରେଟ୍‌ ପୁଲିସ ଛତିଶଗଡ଼ ପୁଲିସକୁ ଅନୁରୋଧ କରିଛି।

ମୋ’ ବସ୍‌ ଯାତ୍ରୀଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗ୍‌ ଗତ ସପ୍ତାହକ ଭିତରେ ୫୦ ହଜାର ଟଙ୍କା ଓ ୧୦ ମୋବାଇଲ୍‌ ଲୁଟିଥବା ଜଣାପଡ଼ିଛି। ଗତ ସପ୍ତାହ‌ରେ ରାଜଧାନୀର ବିଭିନ୍ନ ଥାନାରେ ଏଭଳି ମାଳମାଳ ମାମଲା ରୁଜୁ ହୋଇଛି। ତେଣୁ ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ଲାଗି ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ନିୟମିତ ମୋ’ ବସ୍‌ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଥିଲା। ସେଥିପାଇଁ ଏକ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ କରାଯାଇଥିଲା। ବିଭିନ୍ନ ସିସିଟିଭି ଫୁଟେଜ୍‌ରୁ ପୁଲିସକୁ କିଛି ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ଲୁଟ୍‌ ହୋଇଥିବା ବସ୍‌ ଭିତରେ ସେମାନେ କୃତ୍ରିମ ଭିଡ଼ କରୁଥିବା ଫୁଟେଜ୍‌ରୁ ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ଟିମ୍ ସାଦା ପୋଷାକରେ ମୋ’ ବସ୍‌ରେ ଯାତ୍ରା କରିବା ଆରମ୍ଭ କରିଥିଲା। ଶନିବାର ସନ୍ଧ୍ୟାରେ ନୂଆପଲ୍ଲୀ ନାବାର୍ଡ ବସ୍‌ଷ୍ଟପ୍‌ ନିକଟରେ ପଇଁତରା ମାରୁଥିବା ପୁଲିସ ଟିମ୍‌ ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ ହୋଇଥିବା ୩ ମହିଳାଙ୍କୁ ଠାବ କରିଥିଲା। ବିଳମ୍ବ ନ କରି ପୁଲିସ ସେମାନଙ୍କୁ କାବୁ କରିଥିଲା। ଥାନାକୁ ନେଇ ମାରାଥନ୍‌ ଜେରା କରିବା ପରେ ସେମାନେ ସତ ମାନିଥିଲେ।

Leave a Reply

Your email address will not be published. Required fields are marked *