ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଗୁରୁବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ମାନକ ସ୍ଥିତି) ୪୦୦-୪୫୦ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଗ୍ରାପ୍‌-୩ ଫର୍ମୁଲା ଲାଗୁ କରାଯାଇଛି। ସହରରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦିଆଯାଇଛି। ଗ୍ରାପ୍‌-୩ ଫର୍ମୁଲା ଅନୁଯାୟୀ ଶୁକ୍ରବାରଠାରୁ ସହରରେ ପୁରୁଣା କାଳିଆ ପେଟ୍ରୋଲ (ବିଏସ୍‌-୩) ଓ ଡିଜେଲ (ବିଏସ୍‌-୪) ଯାନର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ବ୍ୟତୀତ ଗୁରୁୁଗ୍ରାମ, ଗାଜିଆବାଦ, ଫରିଦାବାଦ ଏବଂ ଗୌତମ ବୁଦ୍ଧ ନଗର ପାଇଁ ମଧ୍ୟ ଏହି ନିର୍ଦେଶନାମା କାର୍ଯ୍ୟ କରିବ ବୋଲି କୁହାଯାଇଛି। ଜରୁରୀ ପରିସ୍ଥିତିରେ ଡିଜେଲ ଚାଳିତ ଜେନେରେଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ପ୍ରତ୍ୟହ ସଡକରୁ ଧୂଳି ଅପସାରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବାବେଳେ ନିୟମିତ ଜଳ ସିଞ୍ଚନ କରାଯାଉଛି। ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଆତିଶି ନିର୍ଦେଶ ଦେଇଛନ୍ତି। ସ୍ଥିତିରେ ଉନ୍ନତି ଆସିିବା ପର୍ଯ୍ୟନ୍ତ ପିଲାମାନେ ଅନଲାଇନରେ ପାଠ ପଢିବେ ବୋଲି କୁହାଯାଇଛି।
ବର୍ତ୍ତମାନ ହିମାଳୟରେ ବରଫପାତ ଆରମ୍ଭ ହୋଇଥିବାବେଳେ ଦିଲ୍ଲୀର ତାପମାତ୍ରା କ୍ରମଶଃ ହ୍ରାସ ପାଉଛି। ଫଳରେ ସକାଳେ ଓ ସନ୍ଧ୍ୟାରେ ସହରର ବାୟୁମଣ୍ଡଳ ଶୁଷ୍କ ରହୁଛି। ଏହି ପରିପ୍ରେକ୍ଷୀରେ ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସକାଳେ ଓ ସନ୍ଧ୍ୟାରେ ବାହାର କାର୍ଯ୍ୟକୁ ସୀମିତ ରଖିବାକୁ ମଧ୍ୟ କୁହାଯାଇଛି। ଯଦି ଜରୁରୀ କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଛି, ତେବେ ମୁହଁରେ ଏନ୍‌୯୫ ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରେ ହେପା ଏୟାର ପ୍ୟୁରିଫାୟର ବ୍ୟବହାର କଲେ, ପ୍ରଦୂଷଣରୁ ରକ୍ଷା ମିଳିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *