ଲଣ୍ଡନ: ଶରଣାର୍ଥୀ ଆଇନକୁ ବିରୋଧ କରି ସଂଯୁକ୍ତ ରାଜ୍ୟ(ୟୁକେ)ରେ ସୃଷ୍ଟି ହୋଇଥିବା ଦଙ୍ଗା ଗମ୍ଭୀର ରୂପ ନେଇଛି। ରବିବାର ସହସ୍ରାଧିକ ଦଙ୍ଗାକାରୀ ଉତ୍ତର ଇଂଲଣ୍ଡରେ ଥିବା ଶରଣାର୍ଥୀ ଅନ୍ତେବାସଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି। ଗତ ସପ୍ତାହରେ, ଉତ୍ତରପଶ୍ଚିମ ଇଂଲଣ୍ଡର ସାଉଥ୍ପୋର୍ଟରେ ଜଣେ ମୁସଲିମ୍ ଶରଣାର୍ଥୀ ତିନିଜଣ ଯୁବତୀଙ୍କୁ ଛୁରି ଭୂସି ହତ୍ୟା କରିଥିଲା। ଏହାପରେ ଦେଶର ଶରଣାର୍ଥୀ ଆଇନକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାହାର ଦେଶର ଶରଣାର୍ଥୀଙ୍କୁ ଶରଣ ନଦେବା ଓ ଶରଣାର୍ଥୀଙ୍କୁ ଦେଶରୁ ତଡ଼ିବା ଦାବିରେ ଗତ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆକ୍ରମଣକାରୀ ଜଣକ ଶରଣାର୍ଥୀ ନୁହନ୍ତି ବରଂ ବ୍ରିଟେନ୍ରେ ଜନ୍ମିତ ବୋଲି ପୁଲିସର ସ୍ପଷ୍ଟୀକରଣ ପରେ ମଧ୍ୟ ରବିବାର ଏହି ବିକ୍ଷୋଭ ତୀବ୍ର ରୂପ ନେଇଥିଲା। ଦଙ୍ଗାକାରୀମାନେ, ଶରଣାର୍ଥୀଙ୍କ ମାଲିକାନାରେ ରୋଦରହାମ୍ ଓ ଟାମ୍ୱର୍ଥରେ ଥିବା ଦୁଇଟି ହୋଟେଲ୍କୁ ପୋଡ଼ିଦେଇଛନ୍ତି। ଏହାସହ ସେଠାରେ ଥିବା ସଂଖ୍ୟାଧିକ ଶରଣାର୍ଥୀଙ୍କ ଦୋକାନ, ମସଜିଦ୍ ଓ ଘରକୁ ଭାଙ୍ଗିଦେଇଛନ୍ତି। ଦଙ୍ଗା ନିୟନ୍ତ୍ରଣ ନିମନ୍ତେ ନିୟୋଜିତ ଜଣେ ପୁଲିସ ଅଧିକାରୀ ଧସ୍ତାଧସ୍ତି ବେଳେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର ଦଙ୍ଗାକୁ ନିନ୍ଦା କରିଛନ୍ତି। ଦଙ୍ଗାକାରୀଙ୍କୁ ଦୃଢ଼ହସ୍ତରେ ଦମନ କରିବାର ଚେତାବନୀ ଦେଇଛନ୍ତି। ଏହି ଦଙ୍ଗାପଛରେ ତଥାକଥିତ ତୀବ୍ର ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି। ସେହିଭଳି ଦେଶର ଗୃହ ମନ୍ତ୍ରଣାଳୟ ସମଗ୍ର ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଦଙ୍ଗା ନିୟନ୍ତ୍ରଣ କରିବାକୁ ସେନା ନିୟୋଜିତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

