Oplus_131072
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବିଜୁ ପଟ୍ଟନାୟକ ବିମାନବନ୍ଦର ଭିତରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟନିକାର ଏହି ସ୍ବତନ୍ତ୍ର ଶୋ’ରୁମ୍ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତର ଗରିମାକୁ ରାଜ୍ୟ ଓ ଦେଶ ବାହାରେ ପ୍ରତିପାଦିତ କରିବା ସହିତ ଏହା ପ୍ରଚାର ପ୍ରସାରରେ ସହାୟକ ହେବ। ଏଥିପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସହିତ ଓଡିଶା ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ରହିଥିଲେ। ଉଦଘାଟନ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କୁ ବିକ୍ରୟ କେନ୍ଦ୍ରରେ ଉପଲବ୍‌ଧ ଥିବା ରୁଚିପୂର୍ଣ୍ଣ ହସ୍ତତନ୍ତ ଉତ୍ପାଦଗୁଡିକ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ନିର୍ଦ୍ଦେଶକ, ବୟନଶିଳ୍ପ ଓ ହସ୍ତତନ୍ତ, ଶ୍ରୀଯୁକ୍ତ ଶୋଭନ କୃଷ୍ଣ ସାହୁ, ବୟନିକାର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଯୁ୍‌ଗ୍ମ ସଚିବ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଅନନ୍ୟା ଦାସ, ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଦେଶ ତଥା ଦେଶ ବାହାରକୁ ଯାତ୍ରା କରୁଥିବା ଯାତ୍ରୀ, ବିମାନ ବନ୍ଦରରେ ଏହି ଜିଆଇ ମାନ୍ୟତାପ୍ରାପ୍ତ ଓଡିଶା ହସ୍ତତନ୍ତ ଉତ୍ପାଦ ଗୁଡିକୁ କିଣି ପାରିବେ ।  ସମସ୍ତଙ୍କୁ ଓଡିଶା ହସ୍ତତନ୍ତ ବିଷୟରେ ଅବଗତ କରିବା ପ୍ରୟାସରେ ଏହି ଆଧୁନିକ ନୂଆ ବୟନିକା ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ସୂଚନାଯୋଗ୍ୟ ଯେ  ଏହି କେନ୍ଦ୍ରରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଥିଲେ ଯେ,  ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଆଧାରରେ ଓଡ଼ିଶାର ହସ୍ତତନ୍ତ ସହିତ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦଗୁଡିକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆଦୃତ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ। ସୂଚନାଯୋଗ୍ୟ, ଉତ୍କର୍ଷ କଳାର ନିଦର୍ଶନ ଭାବରେ ଓଡିଶା ହସ୍ତତନ୍ତ ତା’ର ପରିଚୟ ଜାତୀୟ ତଥା ଅର୍ନ୍ତଜାତୀୟ ବଜାରରେ ଜାହିର କରିପାରିଛି। ଓଡିଶା ହସ୍ତତନ୍ତର ରୁଚିପୂର୍ଣ୍ଣ ବୁଣାଶୈଳୀ ଓ ଆକର୍ଷଣୀୟ ଡିଜାଇନ୍ ଯୋଗୁଁ ବିଶ୍ୱ ବଜାରରେ ଚାହିଦା ରହିଛି।

Leave a Reply

Your email address will not be published. Required fields are marked *