ବାଲେଶ୍ଵର:(ସନ୍ଦୀପ ସନ୍ଧି ବିଗ୍ରହ) :ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ବିରାଟ ଷଡଯନ୍ତ୍ର ରଚିଥିବା ପଡୋଶୀ ପାକିସ୍ଥାନକୁ ଏହି ଯୁଦ୍ଧରେ ପରାଜିତ କରି ଦେଶମାତୃକାର ସେବା ପାଇଁ ଭାରତର ବୀର ସୈନିକମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦେଶର ବୀର ସୈନିକମାନେ ଏହି ଯୁଦ୍ଧରେ ବିଜୟ ଆଣି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ଜୁଲାଇ ୨୬ ତାରିଖକୁ ‘ବିଜୟ ଦିବସ’ ଭାବେ ପାଳନ କରାଯାଉଛି । ଏହି ବୀର ସୈନିକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ୨୫ତମ କାରଗିଲ ବିଜୟ ଦିବସ ପାଳନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ବାଲେଶ୍ଵରସ୍ଥିତ ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ବାଲେଶ୍ଵର ପକ୍ଷରୁ କାରଗିଲ୍ ବିଜୟ ଉତ୍ସବ ପାଳନ କରାଯାଇଛି । ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ଏହି ଅବସରରେ ସେବା ନିବୃତ ସେନା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରି ନିଜକୁ ଗୈାରବାନ୍ଵିତ ମନେ କରୁଛି।‘ରାଷ୍ଟ୍ର ସର୍ବୋପରୀ’ ବୋଲି କାରଗିଲ ଯୁଦ୍ଧ ଆମ ସମସ୍ତଙ୍କୁ ଶିକ୍ଷା ଦେଇଛି । ଶ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଶାସନରେ ଭାରତୀୟ ସେନାର ଶକ୍ତି ବହୁଗୁଣିତ ହୋଇଛି । ସାମରିକ ରାଷ୍ଟ୍ର ଭାବେ ଆଜି ଭାରତବର୍ଷ ସମଗ୍ର ବିଶ୍ୱରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛି । ସମ୍ମାନୀତ ଅତିଥି ଭାବେ ଶାସକ ଦଳ ଉପ ସଚେତକ ତଥା ରେମୁଣାର ମାନ୍ୟବର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସଦରର ମାନ୍ୟବର ବିଧାୟକ ମାନସ ଦତ୍ତ ଯୋଗ ଦେଇଥିଲେ।
ଏହି ଅବସରରେ ସେବା ନିବୃତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ କାର୍ଗିଲ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ।
ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଶଶିକାନ୍ତ ମିଶ୍ର, ମନୋରଞ୍ଜନ ବେହେରା, ସନ୍ତୋଷ ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ।