Oplus_131072

ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ଗତକାଲି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ରେ ରଖାଯାଇଥିଲା। ଶତ ଚେଷ୍ଟା ସତ୍ତ୍ବେ ଟାଟାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରିନାହାନ୍ତି। ଏଥି ସହିତ ଭାରତ ଏହାର ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି।

ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ। ପ୍ରକଳ୍ପର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି ପ୍ରତି ସେ ଗୁରୁତ୍ବାରୋପ କରୁଥିଲେ। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସ୍ବୀକାର୍ଯ୍ୟ। ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍‌’କୁ ଏବଂ ‘କୋରସ୍‌’କୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍‌ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍‌ ‘ନାନୋ’ ଆଣିଥିଲେ। ଯେଉଁ ସମୟରେ ପାଶ୍ଚାତ୍ୟ ଅଟୋମୋବାଇଲ୍‌ ବ୍ରାଣ୍ଡ୍‌ଗୁଡ଼ିକର ଭାରତରେ ଆଧିପତ୍ୟ ରହିଥିଲା ସେହି ସମୟରେ ‘ଇଣ୍ଡିକା’ କାର୍‌ ଆଣି ସେ ସେମାନଙ୍କ ଗଡ଼ରେ ପ୍ରବେଶ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧି ପ୍ରଦାନ କରିଥିଲେ।୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା। ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଶିମ୍‌ଲା ଓ ଆମେରିକାର ନ୍ୟୁୟର୍କରେ ପଢ଼ିଥିଲେ। ରତନ ଟାଟା ୧୯୬୨ରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ। ବିଭିନ୍ନ କମ୍ପାନିରେ କିଛି ଦିନ କାର୍ଯ୍ୟ କରିବା ପରେ ୧୯୭୧ରେ ସେ ନ୍ୟାସନାଲ୍‌ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ କମ୍ପାନିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ୧୯୮୧ରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ହୋଇଥିଲେ। କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଟାଟା ୧୯୬୨ରେ ଭାରତ ଫେରିବା ପୂର୍ବରୁ କିଛି ଦିନ ପାଇଁ ଆମେରିକାର ଲସ୍‌ ଏଞ୍ଜେ‌ଲ୍‌ସ୍‌ରେ ଜୋନ୍‌ସ ଆଣ୍ଡ୍ ଏମନ୍‌ସ ପାଇଁ କାମ କରିଥିଲେ। ସେ ୧୯୭୫‌ରେ ହାର୍ଭାର୍ଡ ବିଜିନେସ୍‌ ସ୍କୁଲ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ।

୧୯୯୧ରୁ ସେ ଟାଟା ଗ୍ରୁପ୍‌ର ମଙ୍ଗ ସମ୍ଭାଳିବା ଆରମ୍ଭ କରିଥିଲେ। ୨୦୧୨ ଡିସେମ୍ବର ୨୮ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ସେହି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟାର ବ୍ୟବସାୟ ସାମ୍ରାଜ୍ୟ ଶିଖର ଛୁଇଁଥିଲା। ତାଙ୍କ ନେତୃତ୍ବରେ ୨୦୧୧-୧୨ରେ ଟାଟା ଗ୍ରୁପ୍ ୧୦,୦୦୦ କୋଟି ଡଲାରର କମ୍ପାନିରେ ପରିଣତ ହୋଇଥିଲା। ୧୯୯୬ରେ ସେ ଟାଟା ଗ୍ରୁପ୍‌ର ଟେଲିକମ୍ କମ୍ପାନି ଟାଟା ଟେଲି ସର୍ଭିସେସ୍‌ ଓ ୨୦୦୪ରେ ଆଇଟି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ସ୍ଥାପନ କରିଥିଲେ।

୧୯୯୧ରେ ଟାଟା ଗ୍ରୁପ୍‌ର ମଙ୍ଗ ସମ୍ଭାଳିବା ପରଠାରୁ ରତନ ଟାଟା ବହୁ ଉଲ୍ଲେଖନୀୟ ବ୍ୟାବସାୟିକ ସଫଳତା ହାସଲ କରିଥିଲେ। ୧୯୯୮ରେ ସେ ଆଣିଥିଲେ ଭାରତୀୟ କାର୍‌ ଇଣ୍ଡିକା। ଦୁଇ ବର୍ଷ ମଧ୍ୟରେ ତାହା ଦେଶର ଏକ ନମ୍ବର କାର୍‌ରେ ପରିଣତ ହୋଇଥିଲା। ୨୦୦୦ରେ ଟାଟା ଟି’ ପକ୍ଷରୁ ‌ଦୁନିଆର ଦ୍ବିତୀୟ ବୃହତ୍ତମ ଚା’ ନିର୍ମାତା ଟେଟ୍‌ଲିକୁ ଅଧିଗ୍ରହଣ କରାଯାଇଥିଲା। ତାହା ଥିଲା ବ୍ରିଟେନ୍‌ର ସବୁଠୁ ବଡ଼ ଚା’ କମ୍ପାନି। ୨୦୦୧ରେ ଆମେରିକାନ୍ ଇଣ୍ଟରନ୍ୟାସନାଲ୍‌ ଗ୍ରୁପ୍ (ଏଆଇଜି) ସହ ସହଯୋଗିତା ସ୍ଥାପନ କରି ଟାଟା ଏଆଇଜି ଜରିଆରେ ଟାଟା ଗ୍ରୁପ୍ ବୀମା କ୍ଷେତ୍ରରେ ପ୍ରବେଶ କରିଥିଲା। ୨୦୦୨ରେ ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍ ବିଦେଶ ସଞ୍ଚାର ନିଗମ ଲିମିଟେଡ୍‌କୁ ଅଧିଗ୍ରହଣ କରିଥିଲା।

୨୦୦୩ରେ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ ଓ ୨୦୦୪ରେ ଟାଟା ମୋଟର୍ସ, ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିଲା। ୨୦୦୭ରେ ତାଙ୍କ ଉଦ୍ୟମରେ ୟୁରୋପର ଦ୍ବିତୀୟ ବୃହତ୍ତମ ଇସ୍ପାତ କମ୍ପାନି କୋରସ୍‌କୁ ଟାଟା ‌‌‌‌ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା ଯାହା ସେହି ସମୟର ଏକ ଚର୍ଚ୍ଚିତ ଖବର ଥିଲା। ୨୦୦୮ରେ ସେ ଫୋର୍ଡଠାରୁ ଜାଗୁଆର ଲ୍ୟାଣ୍ଡରୋଭର୍‌କୁ ଅଧିଗ୍ରହଣ କରିଥିଲେ। ୨୦୧୨ରେ ଟାଟା ଗ୍ଲୋବାଲ୍ ବେଭରେଜେସ୍‌ ପକ୍ଷରୁ ଷ୍ଟାର୍‌ବକ୍ସ ସହଯୋଗିତାରେ ମୁମ୍ବାଇରେ ପ୍ରଥମ ଷ୍ଟାର୍‌ବକ୍ସ ଷ୍ଟୋର୍‌ ଖୋଲାଯାଇଥିଲା।

ରତନ ଟାଟାଙ୍କ ଦେହାନ୍ତ ପରେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ‌ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି। ସେ ହେଉଛନ୍ତି ରତନଙ୍କ ସାବତ ଭାଇ। ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି।

Leave a Reply

Your email address will not be published. Required fields are marked *