ଭୁବନେଶ୍ବର: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକ୍ରିୟା ୫ ଘଣ୍ଟା ଅର୍ଥାତ୍ ୨୫ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି। ବେଳେବେଳେ ୧୨୦ କିମି ବେଗରେ ଝଟ୍କା ଦେଇ ଆଗକୁ ବଢ଼ୁଛି। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି। କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର। ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି।

