Oplus_131072

ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନାର SOP । ଏସ୍ଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି କ୍ୟାବିନେଟ୍‌ରେ ସୁଭଦ୍ରା ଯୋଜନାର SOP ପାରିତ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ । ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବ । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଟଙ୍କା ଦିଆଯିବ ।

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି। ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ଏହାର ନିୟମାବଳୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ‘ସୁଭଦ୍ରା ଯୋଜନା’ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା। ଏପରି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ।

ଏନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ୨୩.୦୮.୨୪ ଆଜି ଏହି ଶୁଭ ଦିନରେ ମୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଉଛି। ୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନା ରାଜ୍ୟର ୧ କୋଟିରୁ ଉର୍ଦ୍ଧ ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ବା ତଦୁର୍ଷ ଏବଂ ୬୦ ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ କରାଯିବ ।

ପ୍ରତିବର୍ଷ ସମସ୍ତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିବସ ଏବଂ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ରେ ୫,୦୦୦/- ଟଙ୍କା ଲେଖାଏଁ ବାର୍ଷିକ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ । ତେଣୁ, ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦,୦୦୦ ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ବଚ୍ଛତାକୁ ନିଶ୍ଚିତ କରିବା ପାଇଁ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (APBS) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର-ସକ୍ଷମ ଏକକ-ଧାରକ (DBT) ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବା ସଙ୍ଗେ ସଙ୍ଗେ ହିତାଧିକାରୀମାନଙ୍କୁ ଏକ “ସୁଭଦ୍ରା” ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ Urban Local Body ରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ ।

ଅନ୍ୟପଟେ ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରୀ କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ଏତଦ୍‍ବ୍ୟତୀତ, କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ତଦୁଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତଦୁଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ‘ସୁଭଦ୍ରା’ ପାଇଁ ଏକ କଲ୍‌ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ । ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏକ “ସୁଭଦ୍ରା” ସମିତି (ସୋସାଇଟି) ଗଠନ କରିବ।

Leave a Reply

Your email address will not be published. Required fields are marked *