ଭୁବନେଶ୍ବର : ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହିତ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁଜନିତ ନିମ୍ନଚାପରେଖା ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଫଳସ୍ବରୂପ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଶୁକ୍ରବାର ଭୁବନେଶ୍ବର, ନୟାଗଡ଼, କଟକ, ଖୋର୍ଦ୍ଧା, କେନ୍ଦୁଝର ଏବଂ ଢେଙ୍କାନାଳ ସହ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ସନ୍ଧ୍ୟାରେ ଭୁବନେଶ୍ବରରେ ଅଧ ଘଣ୍ଟା ଧରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବାରୁ ଇସ୍କନ ମନ୍ଦିର ସମ୍ମୁଖ ସହିତ ସହରର ଅନେକ ସ୍ଥାନରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୧୩ ତାରିଖ ବେଳକୁ ଆସୁଛି ଏକ ବଡ଼ ବର୍ଷା। ୧୩ରୁ ତିନିଦିନ ଧରି ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଦୁଇଟି ଜିଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିପାଇଁ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସତର୍କ ରହିବାକୁ ଏସ୍ଆର୍ସି ସତ୍ୟବ୍ରତ ସାହୁ ସମ୍ପୃକ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ପୁରୀ, ନୟାଗଡ଼, ଝାରସୁଗୁଡ଼ା, ଅନୁଗୋଳ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ତୁହାକୁ ତୁହା ବର୍ଷା ହୋଇଛି। ପୁରୀ ଜିଲା ଅସ୍ତରଙ୍ଗରେ ୮୪ମି.ମି, ନୟାଗଡ଼ ଜିଲା ଖଣ୍ଡପଡ଼ାରେ ୭୯.୨ମି.ମି ବର୍ଷା ରେକର୍ଡ ହୋଇଛି।

