Oplus_131072

ରବିବାର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। ୨୨ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ପାଇଁ ପାଗ ଅନୁକୂଳ ରହିଥିଲେ ମଧ୍ୟ ଏହା ବାତ୍ୟା ରୂପ ନେବ କି ନାହିଁ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ଆସନ୍ତା ୨୩ ତାରିଖରୁ ତିନିଦିନ ଧରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି।  ଜିଏଫଏସ, ଇସିଏମ୍‌ଡବ୍ଲ୍ୟଏଫ, ଏନ୍‌ଏଭିଜିଇଏମ୍‌, ଆଇସିଓଏନ ଏବଂ ଆସେସ-ଜି ଆଦି ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି, ଯେ, ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ରାତି କିମ୍ବା ୨୫ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିପାରେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଏବଂ ଓଡ଼ିଶାର ଭଦ୍ରକ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି ଏବଂ ବାତ୍ୟା ସଂକ୍ରାନ୍ତରେ କୌଣସି ଆକଳନ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *