ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ଶାଖା ନଦୀ କାଣୀରେ ଷଷ୍ଠ ବନ୍ୟା ଆସିବା ଫଳରେ କସପା ପଞ୍ଚାୟତସ୍ଥ ଅହିୟାସ ଦରଘା (ପିର ମନ୍ଦିର) ନିକଟରେ ଶହେ ଫୁଟର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ଏହି ବନ୍ୟା ଜଳ ଗାଁକୁ ପ୍ରବେଶ କରିବା ସହିତ ଅହିୟାସ ବଜାର ବୁଡ଼ି ବନ୍ୟା ଜଳ ପ୍ରବାହିତ ହେଉଛି। ବହୁତ ଦୋକାନ ଏବଂ ମଲିକାପୁର ଏବଂ କସପା ପଂଚାୟତର ୬ ଟି ଗାଁରେ ବନ୍ୟା ଜଳ ବୁଡ଼ି ରହିଛି। ଦଶରଥପୁରରେ ବୈତରଣୀ ନଦୀ ୯.୫୨ ବିପଦ ସଂକେତ ରହିଥିବା ବେଳେ ବର୍ତମାନ ୧୨.୧୦ ରହିଛି।
୨୦୦ ପରିବାରର ଏକ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ୨୩ ଦିନର ଶିଶୁକନ୍ୟାକୁ ଉଦ୍ଧାର କରିଛି କଟକ ଷଷ୍ଠ ବାଟାଲିୟନ ଓଡ୍ରାଫ ଟିମ। , ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶରଥପୁର ଏବଂ ମଙ୍ଗଳପୁର ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି। ଘାଇ ମୁହଁ ସମ୍ମୁଖରେ ଦରଘା ଗ୍ରାମର ୫୦୦ ପରିବାର ଶତାଧିକ ଲୋକ ଫସି ରହିଛନ୍ତି। ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି। ବନ୍ୟା ପାଣି ସ୍ରୋତ ପ୍ରଖର ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ପ୍ରଶାସନ ପକ୍ଷରୁ ଛଅଟି ଆଶ୍ରୟସ୍ଥଳୀରେ ୮୦୦ରୁ ଅଧିକ ଲୋକ ଆଶ୍ରୟ ନେଇ ସାରିଲେଣି।
ଏନେଇ ବରିଷ୍ଠ ବିଜେପି ନେତା ଗୌତମ ରାୟ କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କୁ ଦଶରଥପୁର ବନ୍ୟା ମୁକାବିଲା ଦାୟିତ୍ୱ ଦିଆଯାଇଛି। ବିଡ଼ିଓ ଏବଂ ଅତିରିକ୍ତ ତହସିଲଦାରଙ୍କ ଠାରୁ ସମସ୍ତ କଥା ବୁଝିଲା ପରେ ସେ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ପ୍ରଶାସନ ସଜାଗ ଅଛି।
