ଭୁବନେଶ୍ବର: ସକାଳ ସାଢ଼େ ୮ଟା। ଶହଶହ ସଂଖ୍ୟାରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ଟିକେଟ ପାଇଁ ଛିଡ଼ା ହୋଇଥିଲେ। ସମ୍ପର୍କୀୟମାନେ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ରୋଗୀମାନେ ବିଭିନ୍ନ ବର୍ହିବିଭାଗ ସମ୍ମୁଖରେ ଆଗରେ ଧାଡ଼ି ଲଗାଇଥାନ୍ତି। ଗୁରୁତର ରୋଗୀମାନେ ମଧ୍ୟ ଜରୁରୀକାଳୀନ ପଞ୍ଜିକରଣ କେନ୍ଦ୍ର ସମ୍ମୁଖରେ ଧାଡ଼ି ଲଗାଇଥାନ୍ତି। ୯ଟାରେ ଡାକ୍ତର ଆସି ନିଜ ନିଜ ୱାର୍ଡ଼କୁ ଗଲେ। କିନ୍ତୁ ରୋଗୀଙ୍କ ପାଖରେ ଟିକେଟ ନଥିଲା। ଡାକ୍ତର ପ୍ରାୟ ଅଧଘଣ୍ଟା ବସିଲେ ମଧ୍ୟ ଟିକେଟ ନଥିଲା। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ୬ଟାରୁ ଲୋକ ଧାଡ଼ି ଲଗାଇଥିଲେ, କେହି କେହି ପୂର୍ବ ରାତିରୁ ମଧ୍ୟ ଧାଡ଼ିରେ ଶୋଇଥିଲେ। ସମେସ୍ତ ଟିକେଟ ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା ପଞ୍ଜୀକରଣ କେନ୍ଦ୍ର କାହିଁକି ଖୋଲୁନି କେହି ଜାଣି ନଥିଲେ। ହସ୍ପିଟାଲ ଅଧିକାରୀମାନଙ୍କ ପାଖକୁ ଘନଘନ ଫୋନ ଯାଉଥିଲା। ଡାକ୍ତର ରୋଗୀଙ୍କୁ ପରାମର୍ଶ ଦେବେ କେମିତି? ନିରାମୟ ଓ ନିଦାନ ଟେଷ୍ଟ କରିବ କେମିତି? ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀମାନେ ପଞ୍ଜୀକରଣ କେନ୍ଦ୍ର ପହଞ୍ଚି କଣ ହୋଇଛି ବୁଝିବା ବେଳକୁ ଦରମା ମିଳୁ ନଥିବାରୁ ପଞ୍ଜୀକରଣ କେନ୍ଦ୍ରର କର୍ମଚାରୀମାନେ ଧାରଣା ଦେଇଛନ୍ତି। ପଞ୍ଜୀକରଣ ଦାୟିତ୍ବ ନେଇଥିବା ସଂସ୍ଥା ଠିକ୍ ସମୟରେ ଦରମା ଦେଉ ନଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଦରମା ନ ମିଳିବାଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କର୍ମଚାରୀମାନେ ରୋକଠୋକ ଜଣାଇ ଦେଇଥିଲେ। ପରେ ସଂସ୍ଥାର କର୍ମଚାରୀମାନେ ଆସି ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଏକଘଣ୍ଟା ପରେ ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଇଥିଲା।