Oplus_131072

 

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୁଦାୟ ୨ ଲକ୍ଷ ୭୧ ହଜାର ୮୦୦ ଏକର ଚାଷଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି; ଜଳ ନିଷ୍କାସନ ପରେ କ୍ଷେତ୍ରକୁ ଯାଇ ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ୫ ଜିଲ୍ଲାର ୧୨ଟି ବ୍ଲକ ୮୮୦ ପଞ୍ଚାୟତର ୪୧୦୦ ଗାଁରେ ଫସଲ କ୍ଷତି ହୋଇଛି । ରାସ୍ତା ଗୁଡ଼ିକରୁ ଅବରୋଧ ହଟିଥିବାରୁ ଗମନାଗମନରେ କୌଣସି ଅସୁବିଧା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବାତ୍ୟା ସମୟରେ ମୋଟ ୨୨ ଲକ୍ଷ ୮୪ ହଜାର ଲୋକ ବିଦ୍ୟୁତ୍ ସେବାରୁ ବିଚ୍ଛିନ୍ନ ହୋଇଥିଲେ । ଏବେ ୨୨ ଲକ୍ଷ ୩୨ ହଜାର ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିଥିବା ବେଳେ ୫୦ ହଜାର ଲୋକଙ୍କୁ ବିଦ୍ୟୁତ୍ ଯୋଗାଯାଇ ପାରିନି । ବିଦ୍ୟୁତ ବିଭାଗର ୯୮% କାମ ସରିଛି । ବିଦ୍ୟୁତ୍ ବିଭାଗର ୭ ହଜାର କର୍ମଚାରୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏବେ ମଧ୍ୟ ୪୭୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି । ଅନ୍ୟମାନେ ନିଜ ଘରକୁ ଫେରି ଯାଇଥିବା ବେଳେ ଏମାନେ ବର୍ଷା ଯୋଗୁଁ ଫେରି ପାରି ନାହାନ୍ତି । ସମୁଦାୟ ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ । ପାଣି ଛାଡ଼ିବା ପରେ ପ୍ରାୟ ସମସ୍ତେ ନିଜ ଘରକୁ ଫେରିଛନ୍ତି । ନିଜ ଗାଁ ରେ ପାଣି ଛାଡ଼ି ନଥିବାରୁ ଯେଉଁମାନେ ଏବେ ବି ଆଶ୍ରୟସ୍ଥଳୀରେ ଅଛନ୍ତି, ସେମାନଙ୍କର ଯତ୍ନ ନିଆଯାଉଛି ।

ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 335 ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ 4871 ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ଅଣାଯାଇଥିଲା। ସେଠାରେ ଏହି ସମୟ ମଧ୍ୟରେ 2,529 ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସବୁ ପ୍ରମୁଖ ରାସ୍ତା ଗୁଡିକରୁ ପ୍ରାୟ ସବୁ ଅବରୋଧ ହଟି ସାରିଛି ଏବଂ ବର୍ତ୍ତମାନ ଗମନା ଗମନରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଥିଲେ।

ବନ୍ୟା ଭୟ ବର୍ତ୍ତମାନ ଆଉ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବୁଢାବଳଙ୍ଗ ନଦୀ ପୂର୍ବରୁ ବିପଦ ସଂକେତ ଉପରେ ଥିଲା । ତେବେ, ବର୍ତ୍ତମାନ ଜଳସ୍ତର ହ୍ରାସ ପାଇଛି । ଏବେ ଏହା ବିପଦ ସଂକେତ ତଳେ ଅଛି। ବିପଦ ସ୍ତର 8.13 ମିଟର ଥିବା ବେଲେ ବର୍ତ୍ତମାନ ଜଳସ୍ତର 7.20 ମିଟର ଅଛି ବୋଲି ସେ କହିଥିଲେ।

ବିଭିନ୍ନ ଜାଗାରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ 6 ହଜାର ଫୋନ୍ କଲ୍ ଆସିଥିଲା ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଉପରେ ଅଗ୍ନିଶମବାହିନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ।

ବାତ୍ୟା ମୁକାବିଲାରେ ଭାରତ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର NDRF ଟିମ୍ ପଠାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କ ଭୂମିକା ଖୁବ୍ ସହାୟକ ହୋଇଛି । ଏଥିପାଇଁ “ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି, ବାତ୍ୟା ମୁକାବିଲା ପାଇଁ 21 ତାରିଖରୁ ସମୀକ୍ଷା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମରୁ ଜିଲ୍ଲାପାଳମାନଙ୍କୁ ଯେଉଁ ସବୁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦିଆ ଯାଇଥିଲା ସେମାନେ ଦିନରାତି ଏକ କରି ସେସବୁ କାର୍ଯ୍ୟକୁ ସୁଚାର ରୂପେ ସମ୍ପନ୍ନ କରିଛନ୍ତି ।

ରାଜ୍ୟ ସରକାର ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆପଣମାନଙ୍କ ଜରିଆରେ ମୁଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସବୁ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଛି । ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ଜିଲ୍ଲାପାଳମାନଙ୍କୁ ମୋର ସ୍ୱତନ୍ତ୍ର ଧନ୍ୟବାଦ ।”

Leave a Reply

Your email address will not be published. Required fields are marked *