ଯାଜପୁର/ବରୀ: ବିଜେଡି ମଙ୍ଗୁଆଳଙ୍କ ଜିଲ୍ଲା ଯାଜପୁରରେ ବିଜେଡି ସ୍ଥିତି ଏବେ ଗଡ଼ବଡ଼। ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪ଟି ବିଧାନସଭା ଆସନରେ ପରାଜୟ ଲଭିବା ପରେ ବିଜେପି ଶକ୍ତିବୃଦ୍ଧି ଆରମ୍ଭ କରିଛି। ତୃଣମୂଳସ୍ତରରୁ ସଂଗଠନ ହାତମୁଠାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଧର୍ମଶାଳା ବ୍ଲକ୍ର ଏକାଧିକ ସମିତିସଭ୍ୟ, ସରପଞ୍ଚ ବିଜେଡି ଛାଡ଼ି ବିଜେପି ହାତ ଧରିବାର ଦିନ କେଇଟା ପରେ ବିଜେଡି ବିଧାୟକ ଜିତିଥିବା ବରୀ ବ୍ଲକ୍ରେ ସମାନ ସ୍ଥିତି ଉପୁଜିଛି। ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ିଙ୍କ ସମେତ ୭ ପଞ୍ଚାୟତର ସରପଞ୍ଚ ଓ ୧୧ ପଞ୍ଚାୟତର ସମିତିସଭ୍ୟ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଏମାନେ ବିଜେପିରେ ମିଶିବା ଘଟଣା ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି କରିଛି।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ ତାଙ୍କ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ଏହି ମିଶ୍ରଣ ପର୍ବ ଅବସରରେ ଯାଜପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟ,ସାଂସଦ ରବି ନାରାୟଣ ବେହେରା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
