ଭୁବନେଶ୍ଵର: ସାମୁଦ୍ରିକ ବାତ୍ୟା ‘ଦାନା’ର ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅନ୍ୟ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇଛନ୍ତି। ସେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
