ନୂଆଦିଲ୍ଲୀ: ଭାରତ-ଆମେରିକା ମିସନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା କରିବା ପାଇଁ ଭାରତ ନିଜର ସର୍ବକନିଷ୍ଠ ମହାକାଶଚାରୀଙ୍କୁ ମୁଖ୍ୟ ମହାକାଶଚାରୀ ଭାବେ ବାଛିଛି। ମୁଖ୍ୟ ମହାକାଶଚାରୀ ହେବେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳା ଯିଏ କି ନିକଟରେ ପଦୋନ୍ନତି ପାଇଛନ୍ତି। ଜଣେ ‘ମୁଖ୍ୟ ମହାକାଶଚାରୀ’ଙ୍କୁ ଉଡ଼ାଣ ପାଇଁ ଚୟନ କରାଯାଏ, କିନ୍ତୁ ଜଣେ ବ୍ୟାକ୍ଅପ୍ ମହାକାଶଚାରୀଙ୍କୁ ସର୍ବଦା ରଖାଯାଇଥାଏ। କାରଣ କୌଣସି ଅଘଟଣ କାରଣରୁ ଶେଷ ମୁହୂର୍ତ୍ତରେ ଅଦଳବଦଳ କରିବାକୁ ପଡ଼ିପାରେ। ଶୁକ୍ଳା ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ସେ ନ୍ୟାସନାଲ ଡିଫେନ୍ସ ଏକାଡେମିର ପୂର୍ବତନ ଛାତ୍ର ଓ ୨୦୦୬ ମସିହା ଜୁନ୍ ୧୭ ତାରିଖରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ। ସେ ଜଣେ ଫାଇଟର କମ୍ବାଟ୍ ଲିଡର ଏବଂ ପ୍ରାୟ ୨,୦୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିବା ଜଣେ ଟେଷ୍ଟ ପାଇଲଟ୍।

