କାରଖାନା ପାଉଁଶ (ଫ୍ଲାଏ ଆସ୍)ର ଉପଯୁକ୍ତ ପରିଚାଳନା ନିମନ୍ତେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳରେ ପାଉଁଶ ପକାଯାଉଛି, ସେଠାକାର ଜନଜୀବନ ପ୍ରତି ଯେପରି କୌଣସି ପ୍ରକାରର ବିପଦ ସୃଷ୍ଟି ନହୁଏ, ସେଥିପାଇଁ ଥିବା ନିୟମାବଳୀର ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ଏକ ମାସ ମଧ୍ୟରେ ଖସଡ଼ା ପ୍ରସ୍ତୁତ କରିବାକୁ ଉତ୍ତରାଞ୍ଚଳ ଆର୍ଡିସିଙ୍କୁ ଦାୟିତ୍ବ ଦିଆଯାଇଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ତେବେ ଗତ ୨୪ ବର୍ଷ ହେଲା ଏହି ସମସ୍ୟା ପ୍ରତି ଆଖିବୁଜି ଦିଆଯାଇଥିବାରୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହି ଶ୍ରୀ ପୂଜାରୀ ପୂର୍ବ ସରକାରକୁ ସମାଲୋଚନା କରିଥିଲେ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ, ରାଜ୍ୟରେ କେତେ ପରିତ୍ୟକ୍ତ ଖଣି ରହିଛି ଏବଂ ସେସବୁ ଖଣିରେ କେତେ ପରିମାଣର ପାଉଁଶ ପୋତା ଯାଇପାରିବ, ସେ ଦିଗରେ ତଥ୍ୟ ମଗାଯାଇଛି। ଖଣିରେ ପାଉଁଶ ପୋତାଗଲେ ବି ଭୂତଳ ଜଳ ପ୍ରଭାବିତ ହେବ କି ନାହିଁ, ତାହାର ବି ଅନୁଧ୍ୟାନ କରାଯିବାକୁ ସ୍ଥିର ହୋଇଛି। ଅନୁଗୁଳ ଜିଲ୍ଲାର ଏକ ଖଣିରେ ପାଉଁଶ ପକାଯାଉଛି, ଭୂତଳ ଜଳ ଉପରେ ଏହାର କ’ଣ ପ୍ରଭାବ ପକାଉଛି, ତାହା ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଇଟା ତିଆରି, ସିମେଣ୍ଟ କାରଖାନା ତଥା ରାସ୍ତା ତିଆରିରେ ପାଉଁଶ ବ୍ୟବହାର କରୁଥିବା ପୂର୍ତ୍ତ ବିଭାଗ ଓ ଏନ୍ଏଚ୍ଏଆଇ ମଧ୍ୟରେ ସମନ୍ବୟ ରଖାଯିବ। ଶିଳ୍ପାନୁଷ୍ଠାନରୁ ନିର୍ଗତ ପାଉଁଶ, ଧୂଆଁ ଓ ବର୍ଜ୍ୟବସ୍ତୁ ଅଞ୍ଚଳର ଜଳ ଓ ବାୟୁକୁ ପ୍ରଦୂଷିତ କରୁଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ନିୟମାବଳୀର ନବୀକରଣ କରାଯିବାର ଆବଶ୍ୟକତା ରହିଛି।
