ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ସୋମବାର କଟକ ବନ୍ଦ ପାଇଁ ଡାକରା ଦିଆଯାଇଛି। ଆଜି ବନ୍ଦ ସପକ୍ଷରେ ବାହାରିଥିବା ଶୋଭାଯାତ୍ରାକୁ ନେଇ ପୁଣି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଏକାଧିକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଦରଘାବଜାର ନିକଟରେ ଥିବା ମାର୍କେଟ୍ କଂପ୍ଲେକ୍ସ ପରିସରରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା, ଢେଲା ମାଡ଼ ହୋଇଥିବା ବେଳେ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓଙ୍କୁ ପୁଣି ଆକ୍ରମଣ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ଼ କରିବା ସହିତ ଟିୟର ଗ୍ୟାସ୍ ପ୍ରୟୋଗ କରିଛି। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହାକୁ ନେଇ ସହରରେ ଉତ୍ତେଜନା ବଢ଼ିବାରୁ ଆସନ୍ତା ୩୬ ଘଣ୍ଟା ପାଇଁ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଆଜିର ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ସମେତ ୨୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

