ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, କ୍ୟାବିନେଟ ବୈଠକରେ ଓଡିଶା ଜିଏସଟି ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୩୪ଟି ବିଷୟ ଉପରେ ସଂଶୋଧନ କରାଯାଇଛି। ଏବେ ବିଧାନସଭା ଅଧିବେଶନ ନ ଥିବାରୁ ଅଧ୍ୟାଦେଶ ଜରିଆରେ ଏହି ସଂଶୋଧନ କରାଯାଇଥିବା ଶ୍ରୀ ଆହୁଜା ସୂଚନା ଦେଇଛନ୍ତି। ଏହି ସଂଶୋଧନ କାରଦାତାଙ୍କୁ ସୁହାଇବା ବୋଲି ଜଣାପଡିଛି।

ସେହିପରି ସୁଭଦ୍ରା ଯୋଜନାରେ ସଂଶୋଧନ ପାଇଁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ପୁଣି ଥରେ ବିଚାର କରାଯିବ। ସୁଭଦ୍ରା ଯୋଜନାରେ ମୋଟ ୧ କୋଟି ୨ ଲକ୍ଷ ଆବେଦନ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଟଙ୍କା ପାଇ ସାରିଥିବା ବେଳେ ୨ ଲକ୍ଷ ୬୭ ହଜାର ଆବେଦନ ପଡି ରହିଛି।

ଅନ୍ୟ ପକ୍ଷରେ, କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କାରେ ଧାନ କିଣାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଏହା ଛଡା ରାଜ୍ୟରେ ଧାନ କ୍ରୟ ପାଇଁ ୪ ହଜାରରୁ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ଓ ସମବାୟ ସମିତି ଜରିଆରେ ଏହା ସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *