ଆରମ୍ଭ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ କଲା ପ୍ରତ୍ନତତ୍ତ୍ବ ବିଭାଗ । ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଭୋଗମଣ୍ଡପ ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଭିତର ଓ ବାହାର ରତ୍ନଭଣ୍ଡାର ସଫା ଓ ଭାରାବନ୍ଧା କାମ ହୋଇଛି । ଏଥିରେ ରତ୍ନଭଣ୍ଡାର କମିଟି ସଦସ୍ୟ, ASI ଅଧିକାରୀ, ବୈଷୟିକ ଟିମ୍ ସାମିଲ ହୋଇଛନ୍ତି ।
ଦୁଇ ତିନି ଦିନ ଭିତରେ ଲୁହା ଭାରା ବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏଥିପାଇଁ ୧୫ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ କରାଯାଇଛି । ଏହାପରେ ଆବଶ୍ୟକ ମରାମତି କରାଯିବ। ଛାତ ଓ କାନ୍ଥର ପଥର ଯୋଡ଼େଇ, ପଥର ପରିବର୍ତ୍ତନ ଓ ବିମ୍ ପରିବର୍ତ୍ତନ କାମ ହେବ। ରତ୍ନଭଣ୍ଡାର ଭିତର ପାର୍ଶ୍ବ ମରାମତି କାମ ଶେଷ ପରେ ବାହାର ପାର୍ଶ୍ବ ମରାମତି କାମ ଆରମ୍ଭ ହେବ। ତିନି ମାସ ଭିତରେ ମରାମତି କାମ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଲକ୍ଷ୍ୟ ରଖିଛି।