ଭୁବନେଶ୍ବର : ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ଓ୍ବେଲମାର୍କ ଲୋପ୍ରେସର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ରେ ସୃଷ୍ଟି ହେବ ଅବପାତ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଅବପାତ। ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ ଦେଇ ଛତିଶଗଡ଼ ମୁହାଁ ହେବ। ଯାହାର ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପଟେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହା ସହ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣିଂ ଜାରି କରାଯାଇଛି। ୯ ତାରିଖରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ଏଥିପାଇଁ ୯ ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱର୍ଣିଂ ଜାରି ହୋଇଛି। କଳାହାଣ୍ଡି, କନ୍ଧମାଳ,ବୌଦ୍ଧ,ଗଜପତି,ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା ପୁରୀ ,କଟକ କୁ ସତର୍କତା ଜାରି କରାଯାଇଛି। ସେହିଭଳି ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅନ୍ୟପଟେ ୧୦ ତାରିଖ ପାଇଁ ୯ ଜିଲ୍ଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। କଳାହାଣ୍ଡି , କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର , ସୋନପୁର,ବରଗଡ଼, ସମ୍ବଲପୁର , ଅନୁଗୁଳ , ଢେଙ୍କାନାଳ। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବ ପବନ। ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ଆସନ୍ତା କାଲି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ମାନେ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୧୨ ତାରିଖ ପରଠୁ କମିବ ବର୍ଷାର ପରିମାଣ। ସେପଟେ ଦକ୍ଷିଣ ଚୀନ ସାଗରରେ ଅଶାନ୍ତ ହେଉଛି ସୁପର ଟାଇଫୁନ୍ ୟାଗି। ଲଘୁଚାପ ଏବଂ ସୁପର ଟାଇଫୁନ୍ ମଧ୍ୟରେ ଦୂରତା ରହିଛି ୨ ହଜାର କିମି । ନିକଟରେ ନଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଫଳରେ ସମୁଦ୍ରରେ ଧିରେ ଧିରେ ଅଧିକ ବଳ ଗୋଟାଉଛି ଲଘୁଚାପ।
