ଆୟୁଷ୍ମାନ ଭାରତ ଯୋଜନାର ପରିସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ଵାସ୍ଥ୍ୟ ବୀମା ଯୋଜନାରେ ସରକାର ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ସାମିଲ କରିଛନ୍ତି। ବିଜେପିର ନିର୍ବାଚନୀ ପ୍ରତିଶୃତି ଅନୁସାରେ ଏହି ଯୋଜନା ଦେଶର ସାଢ଼େ ୪ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ହେବ। ଯେଉଁ ପରିବାର ଏହି ଯୋଜନାରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି ସେମାନଙ୍କ ପରିବାରର ବରିଷ୍ଠ ନାଗରିକଙ୍କ ଲାଗି ବାର୍ଷିକ ୫ ଲକ୍ଷ ଟଙ୍କାର ଟପ୍‌ଅପ୍‌ ଯୋଗାଇ ଦିଆଯିବ। ଯେଉଁ ପରିବାରଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଯୋଜନାରେ ସାମିଲ ହୋଇନାହାନ୍ତି ସେହି ପରିବାରର ବରିଷ୍ଠ ସଦସ୍ୟଙ୍କ ଲାଗି ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ପ୍ରଦାନ କରାଯିବ। କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସଆଇସି) ଏବଂ ଘରୋଇ ସ୍ଵାସ୍ଥ୍ୟ ବୀମାଧାରୀ ବ୍ୟକ୍ତି ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ​‌ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏ ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି। ସେମାନେ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବରିଷ୍ଠ ନାଗରିକମାନେ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାକୁ ହେବ।

Leave a Reply

Your email address will not be published. Required fields are marked *