Oplus_131072

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମ୍‌ ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାର ୩୧,୫୧,୭୦୦ ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଚାଲିଥିବା ରାଜ୍ୟର କୃଷକ ମାନେ ଡବଲ ଫାଇଦା ପାଉଛନ୍ତି। ଆମ ସରକାରରେ ସବୁ ନିଷ୍ପତ୍ତି ଓ ନୀତି ବିକଶିତ ଭାରତ ଗଠନକୁ ଆଖି ଆଗରେ ରଖି ଗ୍ରହଣ କରାଯାଉଛି। ଆମର ଏହି ନୀତି ଓ ନିଷ୍ପତ୍ତି ସମାଜର ବଞ୍ଚିତ ଶ୍ରେଣୀକୁ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରୁଛି। ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ପିଏମ୍‌ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ୍‌ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ତିନିଟି କିସ୍ତିରେ ୬ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। କୃଷକଙ୍କ ବିକାଶ ଓ ଦାରିଦ୍ର୍ୟ ହ୍ରାସ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ କେନ୍ଦ୍ର ସରକାର ଏହି ଯୋଜନାର ଆରମ୍ଭ କରିଥିଲେ। ଆଜି ୧୮ତମ କିସ୍ତି ପ୍ରଦାନ ଜରିଆରେ ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହେଲେ। ପୂର୍ବରୁ ବରଗଡ଼ରେ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଉପକୃତ ହୋଇଥିଲେ। ପିଏମ‌୍ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ୍‌ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି।

Leave a Reply

Your email address will not be published. Required fields are marked *