ଭୁବନେଶ୍ବର : ଗତକିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଘଡଘଡିର ପ୍ରଭାବ ଲାଗିରହିଥିବା ବେଳେ ଆଗାମୀ ୫ ଦିନ ଯାଏଁ ଏପରି ବର୍ଷା ଲାଗିରହିବ। ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା, ଯାହାର ପ୍ରଭାବରେ ବର୍ଷା ଲାଗିରହିବ। ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ସହ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ୨୬ ତାରିଖଠୁ ବର୍ଷାର ପରିମାଣରେ ସାମାନ୍ୟ ହ୍ରାସ ହୋଇପାରେ।
ସେପଟେ ଆଜି ମଧ୍ୟ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ବର, ଭୁବନେଶ୍ବର, ଜଗତସିଂହପୁର,ମାଲକାନଗିରି ଓ କଟକରେ ପ୍ରବଳ ବର୍ଷା ହୋଇଛି।ଆସନ୍ତାକାଲି ମଧ୍ୟ ସମାନ ସ୍ଥିତି ସହ ୨୪ରୁ ବର୍ଷାର ପ୍ରକୋପ ବଡ଼ିବାକୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ ନିୟାମକ ଯୋଗୁଁ ସମୁଦ୍ର ମଧ୍ୟରେ ୩୫ ରୁ ୫୫ କିମି ପବନ ବହିବାର ଆଶଙ୍କା ରହିଛି। ତେଣୁ ରୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ସହିପରି ବର୍ତ୍ତମାନ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ବଜ୍ରପାତ ସମୟରେ ସତର୍କତା ଅବଲମ୍ବନ କରିବା ସହ ପ୍ରବଳ ବର୍ଷା ଯୋଗୁଁ ମାଟି ଘର ଓ ମାଟି ରାସ୍ତା ପ୍ରତି ସାବଧାନତା ଅବଲମ୍ୱନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମତ୍ସ୍ୟଜୀବୀଙ୍କ ପାଇଁ ଜାରି ହୋଇଥିବା ସତର୍କ ସୂଚନା ପାଳନ ପାଇଁ ରାଜ୍ୟର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ତେଣୁ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ଆଗକୁ ବର୍ଷା ବଢିବାର ସମ୍ଭାବନା ଥିବାରୁ ଅଧିକ ଗେଟ ଖୋଲାଯାଇପାରେ। ସେହିପରି ରାଜ୍ୟର ଦ୍ୱିତୀୟ ବୃହତ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଆସନ୍ତାକାଲି ସକାଳ ୯ରେ ରେଙ୍ଗାଳି ଡ୍ୟାମର ଜଳ ନିଷ୍କାସନ ପାଇଁ ୭ ନମ୍ବର ଗେଟ୍ ଖୋଲିବ। ବର୍ତ୍ତମାନ ଡ୍ୟାମର ଗଚ୍ଛିତ ଜଳସ୍ତର ୧୨୧.୦୯ ମିଟର ରହିଛି। ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା ୧୨୦.୫୦ ମିଟର। ଏଣୁ ଜଳସ୍ତର ବଢୁଥିବାରୁ କାଲି ଜଳ ନିଷ୍କାସନ କରିବ ରେଙ୍ଗାଳି ଡ଼୍ୟାମ। ଏନେଇ ରେଙ୍ଗାଳି ଡ଼୍ୟାମ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ରେଙ୍ଗାଳି ଡ଼୍ୟାମର ତଳ ଅଞ୍ଚଳକୁ ଦୂରଭାଷ ଯନ୍ତ୍ର ଦ୍ୱାରା ସତର୍କ ସୂଚନା ଦିଆଯାଇଛି।
