କେନ୍ଦ୍ରାପଡା: ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଲିଲିତା ଦାସ ନିର୍ଦ୍ବନ୍ଦରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ବନ୍ଦିତା କରିନଥିଲେ । ଫଳରେ ପୁଣିଥରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।
୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ପାଟକୁରା ନିର୍ବାଚନ ମଣ୍ଡଳୀ ୧୩ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ସେଠୀଙ୍କୁ ଅଧ୍ୟକ୍ଷା ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଗତ ସାଧାରଣ ନିର୍ବାଚନ ସମୟରେ ଗୀତାଞ୍ଜଳୀ ଉଭୟ ବିଜେଡି ଓ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଫଳରେ ଦୀର୍ଘ ୪ ମାସ ଧରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ଫାଙ୍କା ପଡିଥିଲା । ଆଜି ନିର୍ବାଚନ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଲିଲିତା ଦାସ ବିଜୟୀ ହୋଇଛନ୍ତି ।
ଏନେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ବର ବେହେରାଙ୍କ କହିଛନ୍ତି, “ଆମ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକ ଲିଲିତା ଦାସଙ୍କୁ ଅଧ୍ୟକ୍ଷା ଭାବେ ମନୋନୀତ କରିଛନ୍ତି ଏବଂ ସେନେଇ ସେ ଲିଲିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲିଲିତା ଦାସ ନିର୍ଦ୍ବନ୍ଦରେ ନିର୍ବାଚନ ଜିତିଛନ୍ତି ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଛନ୍ତି, ‘ଜିଲ୍ଲା ପରିଷଦ ନିର୍ବାଚନ ସମ୍ପର୍କରେ ଆଲୋଚନା ପାଇଁ ଦଳର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଥିଲେ ଏ ତାଙ୍କର ନିଷ୍ପତ୍ତିକୁ ସମସ୍ତ ଜିଲ୍ଲା ପରିଷଦ ମାନିନେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଦଳର ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ଲିଲିତା ଦାସଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା ।” ଏହାପରେ ବିଜେଡି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ଆଜି ଏକ ଘରୋଇ ମଣ୍ଡପରେ ଜିଲ୍ଲାର ୩ ବିଧାୟକ, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବିଜେଡି ଜିଲ୍ଲା ସଭାପତି ଓ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଦଳର ସୁପ୍ରିମୋ ପଠାଇଥିବା ମୁଦା ଲଫାଫା ଖୋଲି କେନ୍ଦ୍ରାପଡା ୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସଙ୍କ ନାମକୁ ଅଧ୍ୟକ୍ଷା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।

