ଏକ ଦେଶ, ଏକ ନିର୍ବାଚନ (ଓଏନ୍‌ଓଇ) କରିବା ଲାଗି ଆଗତ କରାଯାଇଥିବା ଦୁଇ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଛି। ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ ୨୦୨୪ ଓ କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଧେୟକ ୨୦୨୪କୁ ଜେପିସିକୁ ପଠାଇଛନ୍ତି। ବାବାସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହୋହଲ୍ଲା ଚାଲିଥିବାବେଳେ ବାଚସ୍ପତି ବିର୍ଲା ପ୍ରଶ୍ନକାଳ ନେବା ପରିବର୍ତ୍ତେ ବିଧେୟକ ଦ୍ବୟକୁ ଜେପିସିକୁ ସୁପାରିସ କରିବା ଲାଗି ପ୍ରସ୍ତାବ ଆଗତ କରିବାକୁ କହିଥିଲେ। ବାଚସ୍ପତିଙ୍କ ଅନୁମତି ଆଧାରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବ ଆଧାରରେ ବାଚସ୍ପତି ବିଧେୟକ ଦ୍ବୟକୁ ଜେପିସିକୁ ପଠାଇଛନ୍ତି। ବିଜେପି ସାଂସଦ ପିପି ଚୌଧୁରୀଙ୍କୁ ଜେପିସି ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଏଥିରେ ୩୯ଜଣ ସଦସ୍ୟ ରହିଛନ୍ତି। ଏଥିରୁ ଲୋକସଭାର ୨୭ ଓ ରାଜ୍ୟସଭାର ୧୨ଜଣ। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ବିଜେପିର ଅନୁରାଗ ଠାକୁର, ବାଂସୁରୀ ସ୍ବରାଜ, ସମ୍ବିତ ପାତ୍ର, କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମନୀଷ ତିୱାରୀ ଓ ସୁପ୍ରିୟା ସୁଲେ। କମିଟି ଆଗାମୀ ସଂସଦ ଅଧିବେଶନରେ ଏହାର ରିପୋର୍ଟ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *