ଆସନ୍ତା ୨୫ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବିସ୍ତୃତ ତଥ୍ୟ ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍‌ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇ ସାରିଥିବାବେଳେ ଆଗାମୀ ୨୫ ତାରିଖରେ ୪ର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇ ପାରି ନ ଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ସୁଦ୍ଧା ସୁଭଦ୍ରାରେ ମୋଟ୍‌ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି। ଡିସେମ୍ବର ୬ ସୁଦ୍ଧା ପ୍ରକାଶ ଯୋଗ୍ୟ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ। ବ୍ଲକ, ସହରାଞ୍ଚଳ, ମହାନଗର ନିଗମସ୍ତରରେ ଏହି ତାଲିକା ପ୍ରକାଶ ପାଇବ। ତେବେ ଏହା ପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ।

ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁ ସେମାନଙ୍କର ଅର୍ଥ ଅନ୍‌ଲାଇନ୍‌ ଯୋଗେ ପଠାଯାଇପାରିନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପଠାଇବାରେ ରହୁଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନଓ୍ବାଡ଼ି କର୍ମଚାରୀ ଓ ବ୍ୟାଙ୍କ ମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଞ୍ଚ ଟିମ୍‌ର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ସହାୟକ କେନ୍ଦ୍ର(ହେଲ୍ପଡେସ୍କ)ର ପରିଚାଳନା ପାଇଁ କର୍ମଚାରୀ ନିୟୋଜନକୁ ନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁଭଦ୍ରା ସମ୍ପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ବା ଅଫ୍‌ଲାଇନରେ ଗ୍ରହଣ କରାଗଲେ ତାହାକୁ ସୁଭଦ୍ରା ପୋର୍ଟାଲରେ ଅପଲୋଡ୍‌ କରାଯିବ, ଯଦ୍ଦ୍ବାରା ଏହାର ତ୍ୱରିତ ସମାଧାନ ପାଇଁ ସହାୟକ ହେବ।

ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ମହିଳା ଓ ଶିଶୁବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତ ଜିଲାର ଜିଲାପାଳ ଓ ମହାନଗର ନିଗମର ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଭିଡିଓ କନ୍‌ଫରେନ୍ସିଂରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *