Oplus_131072

ପାର୍ବଣ ସମୟରେ ରାଜଧାନୀର ଟ୍ରାଫିକ୍‌‌ ସମସ୍ୟା ଜଟିଳ ହୋଇପଡ଼ିଛି। ଅପରାହ୍ଣ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସହରରେ ଅସମ୍ଭାଳ ଭିଡ଼ ଦେଖାଯାଇଛି। ପୁଲିସର ଟ୍ରାଫିକ୍‌‌ ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଫେଲ୍‌‌ ମାରିଛି। ବାଣୀବିହାର ଛକରୁ ରସୁଲଗଡ଼଼ ଛକ ଏବଂ ରସୁଲଗଡ଼଼ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ରାସ୍ତା ଉପରେ ହଜାର ହଜାର ଗାଡ଼ି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି। ରାସ୍ତା କଡ଼ରେ ବେଆଇନ୍‌‌ ଭାବେ କରାଯାଉଥିବା ପାର୍କିଂ ଏହି ଟ୍ରାଫିକ୍‌‌ ସମସ୍ୟାକୁ ବଢ଼଼ାଇ ଦେଇଛି। ଆହୁରି ମଧ୍ୟ ଜନପଥର ଟ୍ରାଫିକ୍‌‌ ଯନ୍ତ୍ରଣା ଏବେ ସବୁକୁ ବଳିଯାଇଛି। ଏଠାରେ ସଙ୍କୁଚିତ ରାସ୍ତାରେ ବିଏମ୍‌‌ସି ପାର୍କିଂ ଅନୁମତି ଦେଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଲମ୍ୱିଥିବା ଜନପଥରେ ଏବେ ଅସମ୍ଭାଳ ଟ୍ରାଫିକ ଭିଡ଼ ହେଉଛି। ରାସ୍ତାର ଉଭୟ ପାର୍ଶ୍ବରେ ସ୍ମାର୍ଟସିଟି ପ୍ରକଳ୍ପ ଯୋଗୁଁଁ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ବିଏମ୍‌‌ସି ପାର୍କିଂ ପାଇଁ ଅନୁମତି ଦେବା ସହିତ ଅର୍ଥ ଆଦାୟ କରୁଛି। ଏଥି ସହିତ ଏହି ରାସ୍ତାପାର୍ଶ୍ବରେ ରାଜଧାନୀର ସର୍ବାଧିକ ବ୍ୟବସାୟିକ କେନ୍ଦ୍ର ରହିଥିବାରୁ ଗହଳି ବଢ଼଼ିବାରେ ଲାଗିଛି। ସ୍ମାର୍ଟସିଟି କର୍ତ୍ତୃପକ୍ଷ ଜନପଥକୁ ଟାଇଲ୍‌‌ ବିଛାଇ ସଙ୍କୁଚିତ କରିଦେଇଛନ୍ତି। ଯେତିକି ସ୍ଥାନ ରହିଛି ସେଠାରେ ବିଭିନ୍ନ ଦପ୍ତର ଓ ବ୍ୟବସାୟ କେନ୍ଦ୍ରର ଯାନ ବାହାନ ସକାଳୁ ଆସି ଛିଡ଼ା ହୋଇଯାଉଛି। ଯେହେତୁ ଏଠାରେ ବିଏମ୍‌‌ସି ଅର୍ଥ ଆଦାୟ କରୁଛି ତେଣୁ ଲୋକେ ପଇସା ଦେଇ ନିର୍ଭୟରେ ରାସ୍ତାଉପରେ ଗାଡ଼ିମୋଟର ରଖି ଚାଲି ଯାଉଛନ୍ତି। ପାର୍କିଂ ସ୍ଥାନ ବାହାରେ ଜନପଥ ଉପରେ ରଖାଯାଉଥିବା ଗାଡ଼ିମୋଟରରୁ ବି ବିଏମ୍‌‌ସି ଅର୍ଥ ଆଦାୟ କରୁଛି।

ସେହିଭଳି ଜନପଥର ଭିଡ଼ ହ୍ରାସ ପାଇଁ ଶହୀଦନଗର ଠାରେ ଗୋଟିଏ ବହୁତଳ ପାର୍କିଂ ସୌଧ ନିର୍ମାଣ ହେଉଥିଲେ ମଧ୍ୟ ସେଠାରେ କେହି ଗାଡ଼ିମୋଟର ରଖୁନାହାନ୍ତି। କାରଣ ପାର୍କିଂ ସ୍ଥଳରୁ ବିଭିନ୍ନ ବ୍ୟବସାୟ କେନ୍ଦ୍ରର ଦୂରତା ଅଧିକ ରହୁଥିବାରୁ ଲୋକେ ଚାଲି ଚାଲି ଆସିବାବୁ ରାଜି ନୁହନ୍ତି। ଜନପଥର ଗୋଟିଏ ପାର୍ଶ୍ବରେ ଏକାଧିକ ପୋଷାକ, ସୁନା ଦୋନାନ, ମଲ୍‌‌, ହୋଟେଲ, ରାଜନୈତିକ ଦଳର ଦପ୍ତର ଓ ସରକାରୀ ଦପ୍ତର ଆଦି ରହିଛି। ତେଣୁ ଅଧିକାଂଶ ଭିଡ଼ ଏହିଠାରେ ହିଁ ପରିଲକ୍ଷିତ ହେଉଛି। ପାର୍କିଂ ପାଇଁ ସ୍ଥାନ ନଥିଲେ ଘର ତିଆରି ପାଇଁ ସହଜରେ ସରକାରୀ ଅନୁମତି ମିଳୁନଥିବାବେଳେ ଜନପଥ ପାର୍ଶ୍ବରେ କିନ୍ତୁ ଏକାଧିକ ନାମୀ ଦାମୀ କମ୍ପାନୀର ସୋ ରୁମ୍‌‌ ଖୋଲିବାକୁ କର୍ତ୍ତୃପକ୍ଷ ଅନୁମତି ଦେଉଛନ୍ତି। ତେବେ ଏହିସବୁ ବାଣିଜ୍ୟ କେନ୍ଦ୍ରକୁ ଯିବାକୁଥିବା ଗ୍ରାହକମାନେ କେଉଁଠାରେ ଗାଡ଼ିମୋଟର ରଖିବେ ତାହାର କୌଣସି ବ୍ୟବସ୍ଥା ହେଉନାହିଁ। ଫଳରେ ଲୋକମାନେ ବାଧ୍ୟହୋଇ ରାସ୍ତା ଉପରେ ନଚେତ ଆଖପାଖର ଗଳିକନ୍ଦିରେ ନିଜ ନିଜର ଯାନ ରଖି ଦେଇ ଯାଉଛନ୍ତି। ତେଣୁ ସବୁ ପୂଜା ମଣ୍ଡପ ନିକଟରେ ବେଆଇନ୍‌‌ ଭାବେ ଏଣେ ତେଣେ ଗାଡ଼ିଗୁଡ଼ିକ ରଖି ଦିଆଯାଉଛି। ଯେଉଁଥି ପାଇଁ ଗାଡ଼ି ଗୁଡ଼ିକ ଯିବାକୁ ସମସ୍ୟା ହେଉଛି। ଯଦି ୱାନ୍‌‌ ଲେନ୍‌‌ ବ୍ୟବସ୍ଥା କରାଯାଏ ତେବେ ଟ୍ରାଫିକ୍‌‌ ବ୍ୟବସ୍ଥା ସୁଧୁରିବ ବୋଲି କୁହାଯାଉଛି। ଆହୁରି ମଧ୍ୟ ଭିଡ଼ ହେଲେ ପୁଲିସ ଏ ନେଇ ସଚେତନ କଲେ ଲୋକେ ଆଉ ସେହି ରାସ୍ତା ଦେଇ ଯିବେ ନାହିଁ। ଯେଉଁଥି ପାଇଁ ଉକ୍ତ ରାସ୍ତାରେ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *