ଉଚ୍ଚଶିକ୍ଷା ପାଇଁ ମଧ୍ୟବିତ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନଙ୍କୁ କୌଣସି ବନ୍ଧକ ଅବା ଗ୍ୟାରେଣ୍ଟି ବିନା ଋଣ ପ୍ରଦାନ କରାଯିବ ବୋଲି କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅନ୍ତର୍ଗତ ବାର୍ଷିକ ୧୦୦,୦୦୦ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନ ପାଇଁ ଶିକ୍ଷା ଋଣ ଯୋଗାଇ ଦିଆଯିବ। ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପରିବାରର ପିଲାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ତିନି ପ୍ରତିଶତ ସୁଧ ସବସିଡି ପାଇବେ। ଏଥିସହ, ପରିବାରର ଆୟ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସୁଧ ଛାଡ୍ ଉପଲବ୍ଧ ହେବ। ଆର୍ଥିକ ସ୍ଥିତି ଯୋଗୁ କୌଣସି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ରଖି ସରକାର ଏହି ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ମାଧ୍ୟମରେ ଋଣ ଆବେଦନ, ଅନୁମୋଦନ ଏବଂ ବିତରଣ ପରିଚାଳନା କରାଯିବ। ଏହି ତାଲିକାରେ ରାଷ୍ଟ୍ରୀୟ ଅନୁଷ୍ଠାନ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ) ର ବିଭିନ୍ନ ବର୍ଗରେ ସ୍ଥାନିତ ଶ୍ରେଷ୍ଠ ୧୦୦ ଅନୁଷ୍ଠାନ, ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଶ୍ରେଷ୍ଠ ୨୦୦ଅନୁଷ୍ଠାନ ଅନ୍ତର୍ଭୁକ୍ତ ହେବ।

Leave a Reply

Your email address will not be published. Required fields are marked *