ଗଣେଶ ପୂଜାକୁ ଏବେ ମାତ୍ର ୧୦ ଦିନ ବାକି ରହିଛି ।  ସବୁ କ୍ଲବ୍‌ ଓ କମିଟିରେ ଜୋର୍‌ଦାର ପ୍ରସ୍ତୁତି ଚାଲିଛି ।  ଏହା ମଧ୍ୟରେ ପୁଲିସ କାନରେ କିଛି ବେଆଇନ ଚାନ୍ଦା  ମଗାଯିବା ବିଷୟ ପଡ଼ିଛି । ତେଣୁ ପୁଲିସ ଏବେ ତାର  ଆଭିମୁଖ୍ୟକୁ ଅଧିକ କଡ଼ା କରିଛି । ଗତ ୧୭ ତାରିଖ  ଦିନ ପ୍ରଥମେ ପୁଲିସ କମିସନର ଗଣେଶ ପୂଜା ପ୍ରସ୍ତୁତି  ବୈଠକରେ ଏନେଇ ଚେତାଇ ଦେଇଥିଲେ । ବାକି ସବୁ  ଜୋନ୍‌ ଓ ଥାନା ସ୍ତରୀୟ ବୈଠକରେ ମଧ୍ୟ ଏଡିସିପି ଓ  ଏସିପିମାନେ ଜବରଦସ୍ତ ଚାନ୍ଦା ମଗାକୁ ଦୂରରୁ ଜୁହାର  ବୋଲି କହିଦେଇଥିଲେ । ଆଉ ଏବେ ପୂଜା ପାଖେଇ  ଆସିବାରୁ କିଛି ଅସାଧୁ ଯୁବକ ଟଙ୍କା ପଇସା ନେଇ  ଜୁଲମ କରୁଥିବା ଖବର ପୁଲିସ ପାଖକୁ ଆସୁଛି ।  ତେଣୁ ଏହି ଜୁଲମକୁ ସହ୍ୟ ନକରି ତୁରନ୍ତ ପୁଲିସକୁ  ଫୋନ୍‌ କରି ଜଣାଇବାକୁ ଏଡିସିପି ଅନିଲ ମିଶ୍ର ଅପିଲ୍‌  କରିଛନ୍ତି । ପୂର୍ବରୁ ଷ୍ଟ୍ରିଟ୍‌ କ୍ରାଇମ୍‌ ନେଇ ସୂଚନା ଦେବାକୁ  କଟକ ପୁଲିସ ଏକ ସ୍ୱତନ୍ତ୍ର ନମ୍ବର ଜାରି କରିଥିଲା ।  ଏବେ ସେହି ନମ୍ବର ଅର୍ଥାତ୍‌ (୭୯୭୮୮୯୪୪୦୫)  ରେ ତୁରନ୍ତ କଲ୍‌ କରି ସଂପୂର୍ଣ୍ଣ ବିଷୟ ଜଣାଇବାକୁ ଶ୍ରୀ  ମିଶ୍ର କହିଛନ୍ତି । ଅଭିଯୋଗକାରୀ ବା ସୂଚନଦାତାଙ୍କ  ନାମ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ସୂଚନା ପାଇବା ପରେ ପୁରା ଜାଲ ବିଛାଇ ସଂପୃକ୍ତ  ଯୁବକଙ୍କୁ ଗିରଫ କରିବ । ତେବେ ପୂର୍ବ ଦୁଇରୁ ତିନି  ବର୍ଷ ହେବ ଦଶହରା ସମୟରେ ପୁଲିସ ପକ୍ଷରୁ  ‘ଦାଦା ବଟିକୁ ନା’ ବୋଲି ସ୍ଲୋଗାନ୍‌ ଦିଆଯାଇ ବଟି  ଉପରେ ବହୁ ମାତ୍ରାରେ ନିୟନ୍ତ୍ରଣ ଅଣାଯାଇପାରିଛି ।

ଏପରିକି ଚାନ୍ଦା ମାଗିବା ଅଭିଯୋଗରେ ବହୁ  ପ୍ରତିଷ୍ଠିତ ବଜାର କମିଟିର ସଭାପତି ଓ ସଂପାଦକ  ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି । ତେଣୁ ଚଳିତ  ବର୍ଷ ପାର୍ବଣ ଆରମ୍ଭ ପୂର୍ବରୁ ପୁଲିସ ପୁରା ଆକ୍ସନ୍‌  ମୋଡ୍‌ରେ ଅଛି । ବର୍ଷକୁ ବର୍ଷ ଗଣେଶ ପୂଜା ଅଧିକ  ଜାକଜମକରେ ହେଉଛି । ଖର୍ଚ୍ଚ ପାଇଁ ଅଧିକ ବଜେଟ୍‌  ମଧ୍ୟ ରହୁଛି । ତେଣୁ କିଛି କମିଟି ବା କ୍ଲବ୍‌ ଜୁଲମ  କରି ଚାନ୍ଦା ନେଉଥିବା ଅଭିଯୋଗ ଆସୁଛି । ତେଣୁ  ପୁଲିସ ତାହାକୁ ଦୃଢ଼ ହସ୍ତରେ ଦମନ କରିବାକୁ ଏଭଳି  କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହା ଚଳିତ  ବର୍ଷ ପାର୍ବଣ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *