Oplus_131072

ଭୁବନେଶ୍ୱର: ସବୁଜ ଭୁବନେଶ୍ବର ଅଭିଯାନରେ ବିଏମ୍‌ସି ଅଞ୍ଚଳରେ ଲକ୍ଷେ ଗଛ ଲାଗିବ। କେଉଁଠି ଲାଗିବ ଓ କେମିତି ବଞ୍ଚି ରହିବ ସେ ନେଇ ପ୍ରସ୍ତୁତ ହୋଇଛି ରୋଡ୍‌ମ୍ୟାପ୍‌। ୧୩ଟି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ କର୍ପୋରେଟରମାନେ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ କୁହାଯାଇଛି। ବିଭିନ୍ନ ହୋଟେଲ ମାଲିକ, ବ୍ୟବସାୟୀକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଆବାସିକ କଲ୍ୟାଣ ସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି। ଯେଉଁମାନଙ୍କର ଖାଲିସ୍ଥାନ ରହିଛି, ସେମାନେ ନିଜ ଉଦ୍ୟମରେ ବୃକ୍ଷ ରୋପଣ ଓ ରକ୍ଷଣାବେକ୍ଷଣ କରିବେ। ବିଏମ୍‌ସି ଚାରା ଯୋଗାଇ ଦେବ। ଆଜି ବିଏମ୍‌ସିରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏ ସମ୍ପର୍କିତ ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସବୁଜ ଭୁବନେଶ୍ୱର ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ ଓ ବିଏମ୍‌ସିର ମିଳିତ ଉଦ୍ୟମରେ ଏକ ଲକ୍ଷ ବୃକ୍ଷ ରୋପଣ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ଶୁଭେନ୍ଦୁ କୁମାର ସାହୁ ବିଭାଗୀୟ ନିଷ୍ପତି ଉପରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *