Oplus_131072

ନୂଆଦିଲ୍ଲୀ: ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ହାସଲ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରର ସହଯୋଗ ଏବଂ ସାମୂହିକ ପ୍ରୟାସ ଆବଶ୍ୟକ। ବିଗତ ୧୦ ବର୍ଷ ମଧ୍ୟରେ ଭାରତ ସ୍ଥିର ଅଭିବୃଦ୍ଧି ହାସଲ କରିଛି। ୨୦୧୪ରେ ବିଶ୍ୱର ୧୦ମ ବୃହତ୍‌ ଅର୍ଥବ୍ୟବସ୍ଥା ଥିବା ଭାରତ ୨୦୨୪ ସୁଦ୍ଧା ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି। ବର୍ତ୍ତମାନ ସରକାର ଏବଂ ସମସ୍ତ ନାଗରିକଙ୍କ ସାମୂହିକ ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥାରେ ପରିଣତ କରିବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିତି ଆୟୋଗ ବୈଠକରେ କହିଛନ୍ତି। ସାମାଜିକ ଓ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରି ଗତ ୧୦ ବର୍ଷ ମଧ୍ୟରେ ଆମ ଦେଶ ଅନେକ ପ୍ରଗତି କରିଛି। ପୂର୍ବରୁ ମୁଖ୍ୟତଃ ଆମଦାନି ଭିତ୍ତିକ ଦେଶ ଥିବା ଭାରତ ଏବେ ବିଶ୍ୱକୁ ଅନେକ ଉତ୍ପାଦ ରପ୍ତାନି କରୁଛି। ପ୍ରତିରକ୍ଷା, ମହାକାଶ, ଷ୍ଟାର୍ଟଅପ୍ ଓ କ୍ରୀଡ଼ା ଭଳି ବ୍ୟାପକ କ୍ଷେତ୍ରରେ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ଆମ ଦେଶର ପ୍ରଗତି ପାଇଁ ପ୍ରେରକ ଶକ୍ତି ସାଜିଥିବା ୧୪୦ କୋଟି ନାଗରିକଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ପରିବର୍ତ୍ତନର ଦଶନ୍ଧି ଯାହା ବିଭିନ୍ନ କ୍ଷେତ୍ରରେ ଅନେକ ସୁଯୋଗ ଆଣିଛି। ଏହି ସୁଯୋଗଗୁଡ଼ିକର ଉପଯୋଗ କରିବାକୁ ସେ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।

ସେ କହିଥିଲେ ଯେ ବିକଶିତ ରାଜ୍ୟ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର କରାଯାଇପାରିବ। ବିକଶିତ ଭାରତର ଆକାଂକ୍ଷା ତୃଣମୂଳ ସ୍ତରରେ ଅର୍ଥାତ୍ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଏବଂ ଗ୍ରାମରେ ପହଞ୍ଚିବା ଉଚିତ। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ପ୍ରସ୍ତୁତ କରିବା ଦରକାର, ଯାହା ଦ୍ୱାରା ୨୦୪୭ ମସିହାରେ ବିକଶିତ ଭାରତ -୨୦୪୭କୁ ସାକାର କରାଯାଇପାରିବ । ପ୍ରଧାନମନ୍ତ୍ରୀ ନିତି ଆୟୋଗ ଦ୍ୱାରା ପରିଚାଳିତ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହାର ସଫଳତାର ଚାବିକାଠି ହେଉଛି ପରିମାପଯୋଗ୍ୟ ମାନଦଣ୍ଡଗୁଡିକର ନିରନ୍ତର ଏବଂ ଅନଲାଇନ୍ ତଦାରଖ, ଯାହା ବିଭିନ୍ନ ସରକାରୀ ଯୋଜନାରେ ସେଗୁଡ଼ିକର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିଥିଲା। ଦକ୍ଷ ମାନବ ସମ୍ବଳ ପାଇଁ ବିଶ୍ୱ ଭାରତକୁ ଅନୁକୂଳ ଦୃଷ୍ଟିରେ ଦେଖୁଥିବା ବେଳେ ଯୁବକମାନଙ୍କୁ ରୋଜଗାର ନିମନ୍ତେ ପ୍ରସ୍ତୁତ କରିବା ଲାଗି ଦକ୍ଷତା ଓ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ନିବେଶକଙ୍କୁ ଅନୁକୂଳ ପରିବେଶ ପ୍ରଦାନ କରିବାକୁ ସେ ରାଜ୍ୟଗୁଡ଼ିକୁ କହିଛନ୍ତି। ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ନୀତି, କାର୍ଯ୍ୟକ୍ରମ ଏବଂ ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ‘ନିବେଶ ଅନୁକୂଳ ଚାର୍ଟର’ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନିତି ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦର ଫଳପ୍ରଦ ଉପଯୋଗ ପାଇଁ ରାଜ୍ୟସ୍ତରରେ ଗ୍ରୀଡ୍ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ଏଥିସହିତ ବିକଶିତ ଭାରତ ପାଇଁ ପ୍ରାଥମିକତା ଭାବେ ‘ଶୂନ୍ୟ ଦାରିଦ୍ର୍ୟ’କୁ ଲକ୍ଷ୍ୟ କରିବା ଉଚିତ୍କେ। ବଳ କାର୍ଯ୍ୟକ୍ରମ ସ୍ତରରେ ନୁହେଁ ବରଂ ବ୍ୟକ୍ତିଗତ ଭିତ୍ତିରେ ଦାରିଦ୍ର୍ୟ ମୁକାବିଲା କରିବା ଆବଶ୍ୟକ।

କୃଷିକ୍ଷେତ୍ରରେ ଉତ୍ପାଦକତା ଓ ବିବିଧତା ବୃଦ୍ଧି କରିବା ଏବଂ କୃଷକମାନଙ୍କୁ ବଜାର ସଂଯୋଗ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ଉତ୍ସାହିତ କରିଥିଲେ । ଜୈବିକ କୃଷି ପଦ୍ଧତିକୁ ଆପଣାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ପରିଚାଳନା ଯୋଜନା ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ କହିଥିଲେ। ସମସ୍ତ ସ୍ତରରେ ସରକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ ଏବଂ ଏଥିପାଇଁ ଦକ୍ଷତା ବିକାଶ ଆୟୋଗ ସହ ସହଯୋଗ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *